ଭୁବନେଶ୍ୱର:ରାଜଧାନୀରେ ଆଉ ଦେଖିବାକୁ ମିଳୁନି ଖରା ଛାଇର ଲୁଚକାଳୀ ଖେଳ । ସତେ ଯେମିତି ସ୍ମାର୍ଟ ସିଟିରୁ ଉଭାନ ହେଇଯାଇଛି ଛାଇ । ଶୋଷିଲା ଯେପରି ପାଣିକୁ ଖୋଜେ...ରାଜଧାନୀବାସୀ ସେମିତି ଖୋଜୁଛନ୍ତି ଛାଇକୁ । ହେଲେ ମରୀଚିକା ପାଲିଟିଛି ଛାଇ । ଖରା ଦିନେ ଅସହ୍ୟ ଗରମ ଓ ତାତିରେ ସିଝି ଯାଉଛନ୍ତି ଲୋକେ । ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ତାର ଶୀତଳ ଛାଇ । କେବଳ ଦେଖିବାକୁ ମିଳୁଛି ବଡ଼ ବଡ଼ କୋଠା । ଆଧୁନିକତାର ଛାପରେ ସବୁଜ ବନାନୀ ଗଛ ପରିବର୍ତ୍ତେ କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହୋଇଛି ସହର । ଫଳରେ ଅସହ୍ୟ ଗରମର ହନ୍ତସନ୍ତ ହେଉଛନ୍ତି ବାଟୋଇ ।
କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ସ୍ମାର୍ଟ ସିଟି: ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଦେଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରୀକରଣ ହୋଇଛି । ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି । କେବଳ ଏତିକି ନୁହଁ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଯାହା ଭବିଷ୍ୟତ ପିଢ଼ି ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୨୩-୨୪ ମସିହାରେ ୪୫୦ ଲକ୍ଷ ଚାରା ରୋପଣ ପାଇଁ ଅନୁମତି ଦିଆଯାଇଥିଲା । ସହରାଞ୍ଚଳରେ ପାଖରେ ଥିବା ନଦୀ କୂଳରେ ଏହି ବୃକ୍ଷ ରୋପଣ କରିବା ପାଇଁ ଅନୁମତି ଦିଆଯାଇଥିଲା । ଏପରି ସମୟରେ ଭୁବନେଶ୍ୱରର ତ୍ରିଶୁଳିଆ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଅନେକ ଛୋଟ ବଡ଼ ଗଛ ରହିଥିଲା, ଯାହା ବାଟୋଇଙ୍କୁ ଛାଇ ମଧ୍ୟ ଯୋଗାଉଥିଲା । ହେଲେ ଏବେ ରାସ୍ତା ପ୍ରଶସ୍ତି ପାଇଁ ଗତ କିଛିଦିନ ହେଲା ଏହି ସମସ୍ତ ଗଛକୁ କାଟି ଦିଆଯାଇଛି । ଯାହାକୁ ନେଇ ରାଜଧାନୀ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ସହ ଆହୁରି ଅଧିକା ଗଛ ଲଗାଇବାକୁ ଦାବି କରିଛନ୍ତି ।