ଭୁବନେଶ୍ବର:ଆକ୍ସନ ମୋଡରେ ନୂଆ ସରକାର । ଧାର୍ଯ୍ୟ ପରିମାଣଠୁ ଅଧିକ ଦରମା ନେଇ ଚର୍ଚ୍ଚାରେ ଷ୍ଟାର୍ଟଅପ୍ ଓଡ଼ିଶା ଓ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟ । ଓମକାରଙ୍କଠାରୁ 9 ଲକ୍ଷ 22 ହଜାର 530 ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ MSME ବିଭାଗ ଓମକାରଙ୍କଠାରୁ ଏହି ଅତିରିକ୍ତ ପରିମାଣର ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ।
ଦରମା ତୁଳନାରେ ଅଧିକ ନେଇଥିଲେ ଓମକାର!
2022 ଏପ୍ରିଲରୁ 2024 ଜୁଲାଇ ମାସ ମଧ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟ ଧାର୍ଯ୍ୟ ଦରମା ତୁଳନାରେ ଅଧିକ ଅର୍ଥ ଦରମା ଆକାରରେ ନେଇଥିବା ଜଣାପଡ଼ିଛି । MSME ବିଭାଗ ପକ୍ଷରୁ ଅଗଷ୍ଟ 23 ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓମକାର ରାୟ ମାସିକ 2 ଲକ୍ଷ 11 ହଜାର 800 ଟଙ୍କା ଦରମା ପାଇବେ । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଡିଏ ମଧ୍ୟ ପାଇବେ । 2022 ଜୁନ 9 ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହା ଦର୍ଶାଯାଇଥିଲା । ଓମକାର ମୂଳ ପେନସନକୁ ଛାଡ଼ି ଏହି ଦରମା ପାଇବେ । କିନ୍ତୁ 2022 ଏପ୍ରିଲରୁ 2024 ଜୁଲାଇ ମଧ୍ୟରେ ସେ ଧାର୍ଯ୍ୟ 2 ଲକ୍ଷ 11 ହଜାର 800 ଟଙ୍କା ମୂଳ ଦରମା ପରିବର୍ତ୍ତେ 2 ଲକ୍ଷ 25 ହଜାର ଟଙ୍କା ଦରମା ନେଇଥିଲେ । ଆଉ ଏହି ବର୍ଦ୍ଧିତ ମୂଳ ଦରମା ଆଧାରରେ ମଧ୍ୟ ସେ DA ପାଇଥିଲେ । କେବଳ ସେତିକି ନୁହେଁ, ଧାର୍ଯ୍ୟ ପେନସନ ତୁଳନାରେ ସେ ଅଧିକ ପେନସନ ରାଶି ମଧ୍ୟ ନେଇଥିବା ଜଣାପଡିଛି ।
9 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରାଇବେ ଓମକାର:
ଷ୍ଟାର୍ଟଅପ୍ ଓଡ଼ିଶାରୁ ଓମକାର 2022 ଏପ୍ରିଲରୁ 2024 ଜୁଲାଇ ମଧ୍ୟରେ ଦରମା ବାବଦରେ ଅଧିକ 3 ଲକ୍ଷ 59 ହଜାର 40 ଟଙ୍କା, ମହଙ୍ଗା ଭତ୍ତା ବାବଦରେ 1 ଲକ୍ଷ 42 ହଜାର 718 ଟଙ୍କା ନେଇଛନ୍ତି । ସେହିପରି ନିଜର ପେନସନ ବାବଦରେ 4 ଲକ୍ଷ 20 ହଜାର 772 ଟଙ୍କା ସେ ନେଇଛନ୍ତି । ମୋଟ 9 ଲକ୍ଷ 22 ହଜାର 530 ଟଙ୍କା ଓମକାରଙ୍କଠାରୁ ସହଜ କିସ୍ତିରେ ଆଦାୟ କରିବାକୁ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।