ଭୁବନେଶ୍ବର: ରାଜ୍ୟରେ ପାଦ ଥାପିଲାଣି ମୌସୁମୀ । ଆଗକୁ ଅଧିକ ବର୍ଷାର ସମ୍ଭାବନା ରହିଛି। ବିଶେଷ ଭାବରେ ଏହି ସମୟରେ ସାପ କାମୁଡା ଭୟ ଲାଗି ରହିଥିବା। ସାପ କାମୁଡ଼ାରେ ଅନେକ ଗୁରୁତର ହୋଇଥାନ୍ତି ତ ଅନେକଙ୍କର ଜୀବନ ମଧ୍ୟ ଯାଇଥାଏ । ହେଲେ ଏହି ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆଗକୁ ବର୍ଷା ଦିନ ଥିବାରୁ ବିଭାଗ ସଜାଗ ରହିଛି। ରାଜ୍ୟରୁ ସର୍ପାଘାତ ଜନିତ ଯେକୌଣସି ଘଟଣା ନଜରକୁ ଆସିବ ତାହାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି ବିଭାଗ ।
Snake Bite Cases Increase (ETV Bharat Odisha) ଅନ୍ୟପଟେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ସାପ କାମୁଡାକୁ ନେଇ OSDMA ସହ ଏକ ବୈଠକ କରିବା ସହ ଏକ ପ୍ରଶିକ୍ଷଣ କରାଯାଇଥିଲା। ଏକ ମାସ ଧରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସାପ କାମୁଡ଼ିଲେ କିଭଳି ଭାବରେ ଇଞ୍ଜେକସନ ଦିଆଯିବ ଏବଂ କିଭଳି ଚିକିତ୍ସା କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭ୍ୟାକ୍ସିନ ପଠା ଯାଉଛି। ରାଜ୍ୟରେ ସାପ କାମୁଡାକୁ ନେଇ ତର୍ଜମା ମଧ୍ୟ କରାଯାଉଛି। ଆଣ୍ଟି ଭେନମ ପ୍ରାୟ ସମସ୍ତ ହସ୍ପିଟାଲରେ ରଖାଯାଇଛି। ତଥାପି ସମସ୍ତ ହସ୍ପିଟାଲକୁ ନଜରକୁ ରଖାଯାଇଛି। ଯଦି କୌଣସି ହସ୍ପିଟାଲରେ ମେଡିସିନ ଅଭାବ ଦେଖାଦିଏ ତେବେ ଆଗାମୀ ଦିନରେ ସେଠାକୁ ଆଣ୍ଟି ଭେନମ୍ ପଠା ଯିବାର ବ୍ୟବସ୍ଥା କରାଯିବ ବୋଲି ନୀଳକଣ୍ଠ ମିଶ୍ର କହିଛନ୍ତି। ଆଉ ସମସ୍ତ ଚିକିତ୍ସା କିଭଳି ଭାବରେ ସୁରୁଖୁରୁରେ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ସାପ ବିଷ ନିରୋଧକ ଇଞ୍ଜେକ୍ସନ (asv) ବିନାମୂଲ୍ୟରେ ଉପଲବ୍ଧ ରହିଛି।
Snake Bite Cases Increase in Monsoon (ETV Bharat Odisha) ଏହା ମଧ୍ୟ ପଢ଼ନ୍ତୁ... ଥାନା ବାବୁ ଦେଖୁଥିଲେ ସାପ ଖେଳ, ସାପ ଦଂଶନରେ ସାପୁଆ ମୃତ - Snake Catcher Died
ସାପ କାମୁଡ଼ିଲେ କରିବେ କଣ: ଆଦୌ ଡରନ୍ତୁ ନାହିଁ କି ବିଚଳିତ ହୁଅନ୍ତୁ ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଆଶ୍ୱାସନା ଦିଅନ୍ତୁ ଓ ତୁରନ୍ତ ଡାକ୍ତରଖାନା ନେଇ ଯାଆନ୍ତୁ । ସାପ କାମୁଡି ଥିବା ବ୍ୟକ୍ତି ପିନ୍ଧିଥିବା ମୁଦି, ଘଣ୍ଟା, ବ୍ରତ ଓ ପାଉଁଜି ଇତ୍ୟାଦିକୁ ଖୋଲି ଦିଅନ୍ତୁ। ସାପ କାମୁଡା ବ୍ୟକ୍ତିଙ୍କୁ ଚଲାବୁଲା ବା କୌଣସି କାମ କରିବାକୁ ବାରଣ କରନ୍ତୁ। ଏହା ସହ ତାଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ଡାକ୍ତରଙ୍କୁ ସବିଶେଷ କୁହନ୍ତୁ।
ସାପ କାମୁଡ଼ିଲେ କଣ କରିବେ ନାହିଁ: ଗୁଣି ଗାରେଡ଼ି, ମନ୍ଦିରରେ ପାଣି ଢାଳିବା, ଫୋନରେ ବିଷ ଢାଳିବା, ଗଦ ଚେରମୂଳି ଲଗାଇବା ଆଦି କାମରେ ସମୟ ନଷ୍ଟ କରନ୍ତୁ ନାହିଁ। ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ନିଶାଦ୍ରବ୍ୟ ଦିଅନ୍ତୁ ନାହିଁ । କ୍ଷତ ନିକଟରେ କୌଣସି ଜିନିଷ ବାନ୍ଧନ୍ତୁ ନାହିଁ। କ୍ଷତ ସ୍ଥାନକୁ ଆଦୌ ଧୁଅନ୍ତୁ ନାହିଁ । ବ୍ଲେଡ ଛୁରୀ ଆଦିରେ ସେ ସ୍ଥାନକୁ କାଟନ୍ତୁ ନାହିଁ। କ୍ଷତ ସ୍ଥାନକୁ ପାଟି ଲଗାଇ ଚୁଚୁମନ୍ତୁ ନାହିଁ। କିମ୍ବା କ୍ଷତ ସ୍ଥାନକୁ ମନ ଇଚ୍ଛା ଚିପା ଚିପି କରନ୍ତୁ ନାହିଁ। ଏହା ସହ ବରଫ କିମ୍ବା ଇଲେ୍ଟ୍ରୋନିକ୍ସ ସକ ଦିଅନ୍ତୁ ନାହିଁ।
ଘର ଚାରି ପାଖକୁ କିଭଳି ପରିଷ୍କାର ରଖିବେ: ବିଶେଷ ଭାବରେ ବର୍ଷା ଦିନରେ ସାପଙ୍କ ଆବାସ ସ୍ଥଳୀରେ ପାଣି ପଶିଯିବାରୁ ସେମାନେ ଜନ ବସତି ଅଞ୍ଚଳକୁ ଚାଲି ଆସିଥାନ୍ତି। ଘର ଭିତରେ ବେଙ୍ଗ, ମୂଷା ଭଳି ଜୀବ ରହୁଥିବାରୁ ସେମାନଙ୍କୁ ଖାଇବା ପାଇଁ ଘରେ ପାସିଥାନ୍ତି ସାପ। ତେବେ ଏନେଇ ଘରର ଚାରିପାଖରେ ଦାନାଦାର, ଗ୍ରାମାକ୍ସିନ ଏବଂ ହାଇଡ୍ରୋକ୍ଲୋରିକ ଏସିଡ ପକାନ୍ତୁ। ଘର ଚାରିପାଖକୁ ସଫା ରଖନ୍ତୁ। ଅନ୍ୟପଟେ ସାପ କାମୁଡା ଜନିତ ମୃତ୍ୟୁରୁ ବର୍ତିବା ପାଇଁ ସଚେତନ ଓ ସତର୍କ ରହିବା ଅତ୍ୟନ୍ତ ଜରୁରୀ। କୌଣସି ଗୁଣିଗାରେଡି ଉପରେ ବିଶ୍ୱାସ ନକରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଆବଶ୍ୟକ।
ସାପ କାମୁଡ଼ାକୁ ନେଇ ସରକାରୀ ତଥ୍ୟ: ସାପ କାମୁଡାରେ ବର୍ଷକୁ ଯାଉଛି ହଜାର ହଜାର ଜୀବନ। ୨୦୧୮-୧୯ ମସିହାରେ ୧୦୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯-୨୦ ମସିହାରେ ୯୫୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷରେ ମୟୂରଭଞ୍ଜ ସର୍ବାଧିକ ଭାବରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୭୨, ଗଞ୍ଜାମରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଲୋକଙ୍କର ଜୀବନ ଯାଇଛି। ସେହିଭଳି ଭାବରେ ୨୦୨୦-୨୦୨୧ ମସିହାରେ ୧୦୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୮୪, ସୁନ୍ଦରଗଡ଼ ଜିଲ୍ଲାରେ ୮୧, ଗଞ୍ଜାମରେ ୬୪ ଭଳି ଅନ୍ୟ ଜିଲ୍ଲାରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେହିପରି ଭାବରେ ୨୦୨୧-୨୨ ମସିହାରେ ୮୪୪ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା ଅନୁସାରେ ତଥ୍ୟ ନଜର ପକାଇଲେ ମୟୂରଭଞ୍ଜ ଜିଲ୍ଲାରେ ୭୩, ଗଞ୍ଜାମରେ ୬୪ ଭଳି ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେହିଭଳି ୨୦୨୨-୨୩ ମସିହାରେ ୧୦୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୩ ମସିହାରୁ ଏବେ ଯାଏଁ ମାତ୍ର ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଏପଟେ ୨୦୨୦-୨୧ ମସିହାରେ ୭୮୮ ଜଣଙ୍କୁ ସାପ କାମୁଡ଼ା ଜନିତ ସହାୟତା ରାଶି ଯୋଗାଇ ଦିଆଯାଇଛି। ସେହିପରି ଭାବରେ ୨୦୨୨-୨୩ ମସିହାରେ ୮୯୪ ଜଣଙ୍କୁ ସାପ କାମୁଡ଼ା ଜନିତ ମୃତ୍ୟୁକୁ ନେଇ ସହାୟତା ଜନିତ ଅର୍ଥ ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିବର୍ଷ ସାପ କାମୁଡାରେ ଆଠ ଶହରୁ ଏକ ହଜାର ଜଣ ଲୋକଙ୍କ ମୃତ୍ୟୁ ଘଟୁଛି। ହେଲେ ବାସ୍ତବରେ ଏହି ମୃତ୍ୟୁ ସଂଖ୍ୟା ଢ଼େର ଅଧିକ ହେବ। ଏହାର କାରଣ ଗାଁ ଗଣ୍ଡାର ଅନେକ ଲୋକ ସାପ କାମୁଡିଲେ ହସ୍ପିଟାଲକୁ ଆସନ୍ତି ନାହିଁ। ଯାହା ଫଳରେ ସଠିକ ଭାବରେ ଚିକିତ୍ସା ନହେବାରୁ ସେମାନଙ୍କର ମୃତ୍ୟୁ ଘଟିଥାଏ। ତେବେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସତର୍କ କରିଛି ବିଭାଗ।
ଇଟିଭି ଭାରତ, ଭୁବନେଶ୍ବର