ଭୁବନେଶ୍ବର: ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆହତମାନଙ୍କ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବଜ୍ରପାତ ନେଲା ପ୍ରାଣ:
ଆଜି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ 9 ଜଣଙ୍କର ବଜ୍ରଘାତଜନିତ ମୃତ୍ୟୁ ହୋଇଛି । ୬ଟି ଜିଲ୍ଲାରେ ବଜ୍ରପାତ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି:
ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।