ଭୁବନେଶ୍ୱର:ସୁର ରିଟନ୍ସ । ଏଥର ଶୁଭିବ କଂଗ୍ରେସ କମିଂ । ମାଡିଚାଲ । ପକା ତାଳି । ଦୀର୍ଘ 9 ମାସ ପରେ କଂଗ୍ରେସ ଭବନ ଫେରିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆସୁ ଆସୁ କାନ୍ଦିଲେ ଆଉ ଭାବ ବିହ୍ଵଳ ହେଲେ ସୁର । ଆଜି କଂଗ୍ରେସ ଭବନରେ ସୁର ରାଉତରାୟଙ୍କୁ ଦେଖି ସମସ୍ତେ ଉତ୍ସାହିତ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତି ପରେ ସମସ୍ତଙ୍କ ଉପରୁ ନିଲମ୍ବନ, ବହିଷ୍କାର ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସିଛନ୍ତି ସୁର। । କଂଗ୍ରେସ ଭବନକୁ ଫେରିବା ପରେ ସୁର ଅଧିକ ଭାବ ବିହ୍ଵଳ ହୋଇଯାଇଛନ୍ତି ।
କଂଗ୍ରେସ ଭବନ ମୋର ମନ୍ଦିର-
ଦଳକୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ସୁର କହିଛନ୍ତି, "କଂଗ୍ରେସ ଭବନ ମୋର ମନ୍ଦିର ।୧୯୬୨ରୁ କଂଗ୍ରେସ ସହିତ ଅଛି। କଂଗ୍ରେସରୁ ଦୂରେଇ ବହୁ କଷ୍ଟ ପାଇଛି । ଆଜି କଂଗ୍ରେସକୁ ଫେରି ବହୁତ ଖୁସି । ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ଧନ୍ୟବାଦ ।"
9 ମାସର ନିଲମ୍ବନ ପୁଣି ଦଳକୁ ଫେରିଲେ ସୁରେଶ ରାଉତରାୟ
- କଂଗ୍ରେସ ଭବନରେ ପ୍ରବେଶ ବେଳେ ଭାବ ବିହ୍ବଳ ହେଲେ ସୁରେଶ
- ଭକ୍ତ ଦାସ ଜଣେ ବଢିଆ ନେତା, ତାଙ୍କ ନେତୃତ୍ବରେ କଂଗ୍ରେସ ଆଗକୁ ଯିବ
- କଂଗ୍ରେସ ମୋ ପାଇଁ ମନ୍ଦିର, ଦୂରେଇ ଯାଇ କଷ୍ଟ ପାଇଥିଲି କହିଲେ ସୁର
- କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର
- ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଘର ବାହୁଡ଼ା
- ଘର ବାହୁଡ଼ା ବେଳେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ
- କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ
ଆଗକୁ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବ-
ସାରା ରାଜ୍ୟ ସାରା ବୁଲି କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଭିକ୍ଷା କରିବୁ । ଭକ୍ତଙ୍କ ନେତୃତ୍ୱ ନେଇ ଆଗକୁ ବଢିବ କଂଗ୍ରେସ । ଦଳ ଭିତରେ ଗୋଷ୍ଠୀ ବିବାଦ ଅଛି ବୋଲି ମାନିଲେ ସୁର । ଏକ ହୋଇ ଲଢ଼ିବ କଂଗ୍ରେସ ବୋଲି କହିଲେ ସୁର ।