ପୁରୀ:ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦୁର୍ଲ୍ଲଭ ‘ବାଙ୍କଚୁଡ଼ ବେଶ’ରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲ୍ଲଭ ବେଶରେ ସଜ୍ଜିତ କରିଛନ୍ତି । ଆଜିର ଦିନରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
- ବାଙ୍କଚୁଡ଼ ବେଶ କିମ୍ବଦନ୍ତୀ:
କିମ୍ବଦନ୍ତୀ ଅନୁଯାୟୀ, ଭକ୍ତ ଅକୃର ଯେତେବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସିଥିଲେ ସେ ସମୟରେ ଶ୍ରୀକୃଷ୍ଣଙ୍କୁ ଏହି ବେଶରେ ଦର୍ଶନ କରିଥିଲେ । ତେଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି । ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଶୋଭା ପାଇଥାଏ । ଠାକୁର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ଦକ୍ଷିଣ ଦିଗକୁ ଢଳି ରହିଥାଏ । ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ । ବାଙ୍କଚୂଡ଼ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
- ଆଜି ପଞ୍ଚୁକ ଦ୍ୱିତୀୟ ଦିବସ:
ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହବିଷ୍ୟାଳୀମାନେ ପଞ୍ଚୁକ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରିପାରିନାହାନ୍ତି ସେମାନେ ପଞ୍ଚୁକ ପାଳନ କରି ପୁଣ୍ୟ ଅର୍ଜନ ପାଇଁ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି । ତେଣୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ ସମାଗମ ଲାଗି ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି । ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ଆସନ୍ତାକାଲି ‘ତ୍ରିବିକ୍ରମ ବେଶ’:
ସ୍ୱେଛାସେବୀ ଅନୁଷ୍ଠାନ ଓ ପୋଲିସ ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିର ନେବା ଆଣିବାରେ ସହଯୋଗ ମଧ୍ୟ କରୁଛନ୍ତି । ମହାପ୍ରଭୁଙ୍କ ଯେଭଳି ସମସ୍ତ ନୀତିକାନ୍ତି ସୂଚାର ରୂପେ ହୋଇପାରିବ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ତତ୍ପର ରହିଛନ୍ତି । ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁ ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ଲକ୍ଷ୍ମୀନୃସିଂହ ବେଶ ନିତି ଅନୁଷ୍ଠିତ ହେବ ନାହିଁ । କାର୍ତ୍ତିକ ପୁର୍ଣ୍ଣମୀରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ତେଣୁ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି ।
- ବାଙ୍କଚୂଡ ବେଶ ଏହି ଯୁଗ ଲୀଳା ସହ ସମ୍ପର୍କିତ
ଶ୍ରୀମନ୍ଦିର ସେବାୟତ ଶରତ ମହାନ୍ତି କହିଛନ୍ତି," ପବିତ୍ର ପଞ୍ଚୁକର ଦ୍ଵିତୀୟ ଦିବସରେ ମହାପ୍ରଭୁ ଯେଉଁ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାହାକୁ ବାଙ୍କଚୂଡ ବେଶ କୁହାଯାଏ । ଏହା ଏକ ଅପୂର୍ବ ବେଶ । ଏହି ବେଶ ଦ୍ଵାପର ଯୁଗର ପ୍ରଭୁ କୃଷ୍ଣ ବଳରାମଙ୍କ ସମ୍ପର୍କିତ ବେଶ । ଏହି ବେଶକୁ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଅନନ୍ତ ପୁଣ୍ୟ ଅଧିକାରୀ ହୋଇଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।"