ନୟାଗଡ଼:ନ୍ୟାୟ ପାଇଁ ସରପଞ୍ଚଙ୍କ ଆମରଣ ଅନଶନ । ସମର୍ଥନ ଜଣାଇ ସମିତି ସଭ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଧାରଣା । ଅଧପନ୍ତରିଆ ବ୍ରିଜ ନିକଟରେ ୪ ଦିନ ହେଲା ଧାରଣା ବସିଛନ୍ତି ସରପଞ୍ଚ । ତେବେ ସରପଞ୍ଚ (ଶୁକ୍ରବାର) ଅସୁସ୍ଥ ହେବାରୁ ଦଶପଲ୍ଲା ମେଡିକାଲର ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । RD ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଜିଦରେ ଅଟଳ ସରପଞ୍ଚ । ଯଦି ସେମାନଙ୍କ ଦାବି ତୁରନ୍ତ ପୂରଣ ନହୁଏ ତେବେ ସେମାନେ ଚାଲିଚାଲି ବିଧାନସଭା ଯାଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।
ସମସ୍ୟା ୨୦ ଗାଁର ଲୋକ:
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ନିକଟରେ ଅଧାପନ୍ତରିଆ ବେଲପା ପୋଲ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଟେଣ୍ଡର ହେବାର ୫ ବର୍ଷ ପରେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବାରୁ ସମସ୍ୟା ଭୋଗୁଛନ୍ତି ୨୦ ଗାଁର ହଜାର ହଜାର ଲୋକ । ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକାଦାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଧାରଣାକୁ ଓହ୍ଲାଇଛନ୍ତି ସୋରଡ଼ା ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ଥାନୀୟ ବାସିନ୍ଦା ।
ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଚିତ ଅଭିଯୋଗ:
ଏହି ପୋଲ ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟାତ କରିବା ସହ ଅଞ୍ଚଳବାସୀ ଚିକିତ୍ସା ପାଇଁ ଜଗନ୍ନାଥ ପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥାନ୍ତି । ପୋଲ ନିର୍ମାଣରେ ବିଳମ୍ବ ଯୋଗୁଁ ଲୋକମାନଙ୍କ ଯାତାୟାତରେ ସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧାପନ୍ତରିଆ ଭାବେ ବ୍ରିଜଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ସୋରଡ଼ା ଏବଂ ଲୁଣିସରା ଗ୍ରାମର ଛାତ୍ରଛାତ୍ରୀ ଏବଂ ଲୋକମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପର୍ଯ୍ୟନ୍ତୁ ସବୁ ସ୍ଥାନରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧିମାନେ ଅଭିଯୋଗ କରି ଆସୁଛନ୍ତି । ହେଲେ କେହି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।
ଅନଶନରେ ପଞ୍ଚାୟତବାସୀ:
ତେବେ ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଦୁଇ ଦୁଇଥର ରାସ୍ତାରୋକ କରିଥିଲେ । ସେମାନଙ୍କ ନାମରେ ପୋଲିସ ମାମଲା ରୁଜୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ସୋରଡା ସରପଞ୍ଚ ଫକୀର ମୋହନ ସାହୁ ଏବଂ ସମିତି ସଭ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦା ପୋଲ ନିକଟରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ।