ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏଥିରୁ ସଂଗୃହିତ ଗୁଆ ଓ ଚାଉଳକୁ ମହାପ୍ରଭୁଙ୍କ ସେବାରେ ଲାଗିବ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର।
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏହି ରଥ ପରିକ୍ରମା କରିବା ସହ ଭକ୍ତଙ୍କ ଠାରୁ ରଥ ମାଧ୍ୟମରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା। କିନ୍ତୁ ଏହାକୁ ସଂଗ୍ରହ କରାଯାଇଥିଲେ ମଧ୍ୟ କୌଣସି କାମରେ ଲାଗିନାହିଁ । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଭକ୍ତଙ୍କ ଭାବାବେଗ ସହ ସରକାର ଖେଳିବା ଠିକ୍ ନୁହେଁ ବୋଲି ସଧାରଣରେ ମତ ପ୍ରକାଶ ପାଇଥିଲା । ଗତ 17 ତାରିଖରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରାଯାଇଥିଲା । ଏହି ଲୋକାର୍ପଣ ପୂର୍ବରୁ ରାଜ୍ୟର ଗାଁ ଘାଁରେ ବୁଲିଥିଲା ପ୍ରରିକ୍ରମା ରଥ । ଏହି ରଥ ବୁଲିବା ସହ ଏହା ମାଧ୍ୟମରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଶ ସଂଗ୍ରହ କରାଯାଇଥିଲା । ତେବେ ବର୍ତ୍ତମାନ ପ୍ରକଳ୍ପ ଲୋକାର୍ପଣ ହେଇସାରିଥିବା ବେଳେ ସଂଗ୍ରହ କରାଯାଇଥିବା ଗୁଆ ଓ ଚାଉଳ କାମରେ ନଲାଗିଥିବାରୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ତେବେ ଏହି ବିବାଦର ଅବସାନ ହେବାକୁ ଯାଉଛି । ଭକ୍ତଙ୍କ ଠାରୁ ସଂଗୃହିତ ଚାଉଳ ଓ ଗୁଆ ଶ୍ରୀମନ୍ଦିର ସୁଆର ଓ ମହାସୁଆର ନିଯୋଗ ଗ୍ରହଣ କରିବ ବୋଲି ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଉଦେଶ୍ୟରେ ଭକ୍ତ ଗୁଆ ଓ ଚାଉଳ ଦେଇଛନ୍ତି । ତେଣୁ ଏହାକୁ ଗ୍ରହଣ କରାଯିବ। ଅରୁଆ ଚାଉଳକୁ ନେଇ ଅନ୍ନ ଭୋଗ ପ୍ରସ୍ତୁତ ହେବ। ଯଦି ଅନ୍ନ ଭୋଗ ପ୍ରସ୍ତୁତ ହୋଇ ପାରିବନି ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯିବ । ଏହାଛଡା ଅରୁଆ ଚାଉଳ ମହାପ୍ରଭୁଙ୍କ ବିଭିନ୍ନ ପୂଜା ନୀତିରେ ବ୍ୟବହାର ହେଇଥାଏ । ମୁରୁଜ ଓ ବନ୍ଦାପନାରେ ଚାଉଳ ଆବଶ୍ୟକ ହୋଇଥାଏ। ଏଣୁ ଭକ୍ତଙ୍କ ଅରୁଆ ଚାଉଳ ମହାପ୍ରଭୁଙ୍କ ବିଭିନ୍ନ ପୂଜାନୀତିରେ ଲଗାଯାଇ ପାରିବ।