ଦେବଗଡ:ଜିଲ୍ଲା ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ଗ୍ରାମରେ ରହିଛି ଏକ ବୃହତ ଜଳାଶୟ । ପ୍ରାୟ 12 ଏକରରୁ ଊର୍ଦ୍ଧ୍ବ ପରିମିତ ଏହି ବିସ୍ତୀର୍ଣ୍ଣ ଜଳାଶୟ ଉପରେ ଗ୍ରାମବାସୀ ଓ ଗ୍ରାମର ଗୃହପାଳିତ ପଶୁ ବର୍ଷତମାମ ନିର୍ଭର କରିଥାନ୍ତି । ଏହି ଜଳାଶୟରୁ ଗ୍ରାମର ପାଖାପାଖି 100 ଏକରରୁ ଊର୍ଦ୍ଧ୍ବ ଜମିରେ ଖରିଫ ଓ ରବି ଚାଷ ହୋଇଥାଏ । ଗ୍ରୀଷ୍ମ କାଳରେ ମଧ୍ୟ ଏହି ଜଳାଶୟରେ ଜଳ ସ୍ତର ନିୟନ୍ତ୍ରିତ ରହିଥାଏ । ମାତ୍ର ଚଳିତ ବର୍ଷ ଏହି ଜଳାଶୟର ଜଳକୁ ସମ୍ପୂର୍ଣ୍ଣ ନିଷ୍କାସନ କରାଯାଇ ଏଠାରେ ନିର୍ମାଣ କରାଯାଉଛି ଜଳସେଚନ ପ୍ରକଳ୍ପ । ଫଳରେ ଗ୍ରାମବାସୀ ଉତ୍କଟ ଜଳକଷ୍ଟର ସମ୍ମୁଖୀନ ହେବା ସହ ଚାଷକାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ଏହି ଜଳାଶୟର ପୁନରୁଦ୍ଧାର ଓ କେନାଲ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଗତ ଫେବୃଆରୀ ମାସରେ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ R & R Scheme 2023-24ରୁ ପ୍ରାୟ 55 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ମାଧ୍ୟମରେ ଜିଲ୍ଲା ବାହାର ଅଞ୍ଚଳର ଜଣେ ଠିକାଦାରଙ୍କୁ ଏହାର କାର୍ଯ୍ୟାଦେଶ ଦିଆଯାଇଛି । ଏଗ୍ରିମେଣ୍ଟ ଅନୁଯାୟୀ, ଗତ 2023 ମସିହା ଫେବୃଆରୀ ମାସରୁ ଠିକାଦାର ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ଚଳିତ ବର୍ଷ 2024 ମସିହା ଜୁନ ମାସ 8 ତାରିଖ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା କଥା । ମାତ୍ର ଠିକାଦାର ଜଣକ କାର୍ଯ୍ୟାଦେଶ ପାଇବା ପରଠାରୁ ଏହିକାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ କରୁନଥିବା ବେଳେ, କେବଳ ଲୋକ ଦେଖାଣିଆ ଭାବେ ଜଳାଶୟ ତଟବର୍ତ୍ତି ଅଞ୍ଚଳରୁ ଅଳ୍ପ କିଛି ପରିମାଣରେ ମାଟି ଉଠାଇ ଓ ମାତ୍ର କେଇ ମିଟର କେନାଲ ନିର୍ମାଣ କରି କାର୍ଯ୍ୟଟିକୁ ପକାଇ ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ:ଶୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟ ଜଳ ସଙ୍କଟରେ ଦେବଗଡ଼ ସହରବାସୀ - Pradhanpat waterfall