ଓଡିଶା

odisha

ଡାକ୍ତରଙ୍କୁ ଠକି ବିଜେଡି ନେତା ଛୁ ! ପଦୋନ୍ନତି ପାଇଁ ୧୭ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ - Fraud In The Name Of Promotion

By ETV Bharat Odisha Team

Published : Jun 8, 2024, 8:27 PM IST

Allegations Of Fraud With Doctor: ଚାକିରିରେ ପଦୋନ୍ନତି କରିବା କହି ଡାକ୍ତରଙ୍କ ସହ ଠକେଇ । ଲକ୍ଷାଧିକ ଟଙ୍କା ଠକି ନେଲେ ବିଜେଡି ନେତା । ଅଧିକ ପଢ଼ନ୍ତୁ

ଡାକ୍ତରଙ୍କୁ ଠକି ବିଜେଡି ନେତା ଛୁ !
ଡାକ୍ତରଙ୍କୁ ଠକି ବିଜେଡି ନେତା ଛୁ ! (ETV Bharat Odisha)

ରାଇରଙ୍ଗପୁର: ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ବିଜେଡି ନେତା ଠକି ନେଇଥିବା ଅଭିଯୋଗ । ପଦୋନ୍ନତି କରାଇଦେବା କହି ନେତା ଜଣଙ୍କ ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଡାକ୍ତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ ସିନିୟର୍ ମେଡିସିନ ସ୍ପେଶାଲିଷ୍ଟ ଭାବରେ କାର୍ଯ୍ୟ କରନ୍ତି ଡ଼ ସାଗର ଚନ୍ଦ୍ର ନାଏକ ଏହି ଅଭିଯୋଗ କରିଛନ୍ତି ।

ଡାକ୍ତରଙ୍କୁ ଠକି ବିଜେଡି ନେତା ଛୁ ! (ETV Bharat Odisha)


ଅଭିଯୋଗ ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ସାଗରଙ୍କ ସହ ରାଇରଙ୍ଗପୁର ସହର ବିକାଶନଗର ସ୍ଥିତ ଜନୈକ ବରିଷ୍ଠ ବିଜେଡି ନେତାଙ୍କ ସହ ପରିଚୟ ହୋଇଥିଲା । ବିଜେଡି ନେତା ଜଣକ ରାଜ୍ୟ ଶାସକ ଦଳର ଜଣେ ତୁଙ୍ଗ ନେତା ଭାବେ ପରିଚୟ ଦେବାରୁ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ସେ ସମୟରେ ସାଗର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏସଡିଏମଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ଜନୈକ ବିଜେଡି ନେତା ଜଣକ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସୁପରିଟେଣ୍ଡେଣ୍ଟ ପଦ ଖାଲିଥିବା କହିବା ସହ ସେଠାକୁ ସାଗରଙ୍କ ପଦୋନ୍ନତି କରାଇଦେବା ପାଇଁ କହିଥିଲେ ।

ସେପଟେ ପ୍ରଥମେ ବିଜେଡି ନେତାଙ୍କ କଥାରେ ଭରସା କରି ନଥିଲେ ସାଗର । ପରେ ବାରମ୍ବାର ନେତା ଜଣକ ତାଙ୍କୁ ଆଶ୍ୱାସନା ଦେବା ପରେ ୨୦ ଲକ୍ଷ ଟଙ୍କାର ଡିଲ୍ ୧୭ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା । ଦୁଇଟି କିସ୍ତିରେ ଟଙ୍କା ଦିଆଯିବା ସହିତ ଦୁଇ ମାସ ମଧ୍ୟରେ ଉକ୍ତ ପୋଷ୍ଟ ମିଳିବ ବୋଲି ନେତା ଜଣଙ୍କ ପ୍ରତିଶ୍ରୁତି ଦେଇଥିଲେ । ୨୦୨୨ ମସିହା ମେ' ୩ ତାରିଖରେ ସାଗର ନେତା ଜଣଙ୍କୁ ନଗଦ ୧୦ଲକ୍ଷ ଟଙ୍କା ଦେଇଥିବା ବେଳେ ସେହି ବର୍ଷ ଅଗଷ୍ଟ ମାସ ୯ ତାରିଖରେ ଆଉ ୭ ଲକ୍ଷ ଟଙ୍କା ଦେଇଥିଲେ । ଏମିତି 2ଟି କିସ୍ତିରେ ମୋଟ 17 ଲକ୍ଷ ଟଙ୍କା ଦେଇଥିଲେ ସାରଗ ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ମହିଳାଙ୍କୁ ବ୍ଳାକମେଲିଂ, ବନ୍ଧା ହେଲେ ୟୁଟ୍ୟୁବର ଚନ୍ଦନ - Youtuber Chandan Kar arrested

ତେବେ ପ୍ରତିଶ୍ରୁତି ମୁତାବକ ସୁପରିଟେଣ୍ଡେଣ୍ଟ ପଦ ନ ମିଳିବାରୁ ସାଗର ବିଜେଡି ନେତାଙ୍କୁ ଫୋନ କରିଥିଲେ । ଏମିତି ବାରମ୍ବାର ଫୋନ କଲା ପରେ ମଧ୍ୟ ନେତା ଜଣକ ଫୋନ ଉଠାଇ ନଥିଲେ । ପରେ ନେତା ଜଣକ ସହିତ ସାଗରଙ୍କ ଯୋଗାଯୋଗ ସମ୍ପୂର୍ଣ୍ଣ ଛିନ୍ନ ହୋଇ ଯାଇଥିଲା । ଚଳିତ ବର୍ଷ ମେ' ମାସ ୯ ତାରିଖରେ ଡାକ୍ତରଖାନା ପାଖ ରାସ୍ତାରେ ନେତାଙ୍କୁ ଦେଖି ଡାକ୍ତର ସାଗର ତାଙ୍କୁ ସରକାରୀ ବାସଭବନକୁ ଡ଼ାକି ନେଇଥିଲେ ଓ ସେଠାରେ ସମସ୍ତ ୧୭ ଲକ୍ଷ ଟଙ୍କା ଫେରାଇବାକୁ ନିବେଦନ କରିଥିଲେ । ସେଠାରେ ନେତା ଜଣକ ଡାକ୍ତରଙ୍କ ଚାକିରି ନେଇଯିବାର ଧମକ ଦେବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି ସାଗର । ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ ସାଗର ଅଭିଯୋଗ କରିଛନ୍ତି । ସାଗରଙ୍କ ଅଭିଯୋଗ କ୍ରମେ ରାଇରଙ୍ଗପୁର ଟାଉନ ଥାନା ପୋଲିସ କେସ ନଂ ୧୯୨/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details