ପୁରୀ:ରାତି ପାହିଲେ ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ରଥ ଉପରେ ଶ୍ରୀଜୀଉମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଦର୍ଶନ ସନ୍ଧ୍ୟା 5-7ଟାରୁ ମଧ୍ୟରେ ଆରମ୍ଭ ହେବ ଏବଂ ରାତ୍ର 11ଟା ଯାଏଁ ଚାଲିବ । ଏହା ସହିତ 15 ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ପ୍ରଶାସନ ଆଶା ରଖିଛି ।
ଦର୍ଶନ ପାଇଁ କେଉଁଠିକୁ ଯିବେ ?
- ସୁନାବେଶ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମାର୍କେଟ ଛକଠାରେ ହୋଇଥିବା ଏକପାଖିଆ ବ୍ୟାରିକେଡ ଭିତରେ ପ୍ରବେଶ କରି ସୁନାବେଶ ଦର୍ଶନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ରଥ କଡରେ ପ୍ରସ୍ଥାନ କରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ଓ ଟ୍ରାଫିକ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ଶ୍ରଦ୍ଧାଳୁମାନେ ଏକ ପାଖିଆ ରାସ୍ତାରେ ନନ୍ଦିଘୋଷ ରଥ ପାର୍ଶ୍ଵ ଦେଇ କ୍ରମାନ୍ବୟରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶନ କରି ତାଳଧ୍ଵଜ ରଥ ପାର୍ଶ୍ଵ ଦେଇ ଫେରିବେ।
- କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ାଯିବ ନାହିଁ । ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର ମଧ୍ୟ ବ୍ୟବସ୍ଥା ହେବ। ଜନଗହଳି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛି ପୁରୀ ପୋଲିସ ।
ପୋଲିସ ଛାଉଣିରେ ପୁରୀ:-
ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ । ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ । ଯେଉଁ ଭକ୍ତମାନେ ପ୍ରବଳ ଭିଡ଼ ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ଦର୍ଶନ ସମୟରେ ମୋବାଇଲ୍ ବ୍ୟବହାର ନ କରନ୍ତୁ ବୋଲି ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି କୁନି କୁନି ଛୁଆ ଏବଂ ବୟସ୍କ ବ୍ୟକ୍ତି ବିଶେଷମାନେ ଅତ୍ୟଧିକ ଭିଡ଼ ଭିତରକୁ ନ ଆସିବା ପାଇଁ ନିବେଦନ କରିଛନ୍ତି ପୁରୀ ଏସପି ।