ଭୁବନେଶ୍ବର:ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ନୂଆ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରୁ ଶ୍ରୀମନ୍ଦିରରେ କରାଯାଉଛି ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା । ସେହିପରି ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
କିପରି ରହିବ ନୂଆ ଦର୍ଶନ ବ୍ୟବସ୍ଥା?
ଶ୍ରୀମନ୍ଦିର ଚାରିଦ୍ଵାରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁଗମ ହୋଇଥିଲେ ମଧ୍ୟ ନାଟ ମଣ୍ଡପ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ । ପ୍ରତିଦିନ ଠେଲାପେଲା ହୋଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଯେଉଁମାନେ ଭିଡ଼ରେ ପଶି ପାରୁନାହାନ୍ତି, ସେମାନେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ବରୁ ନାଟମଣ୍ଡପରେ କାଠ ରାମ୍ପ ଦ୍ବାରା ଦର୍ଶନକୁ ବ୍ୟବସ୍ଥିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ନୂଆ ଦର୍ଶନ ବ୍ୟବସ୍ଥାରେ ନାଟମଣ୍ଡପ ଭିତରୁ ଏବଂ ଗରୁଡ଼ସ୍ତମ୍ଭ ପରଠାରୁ ଭକ୍ତଙ୍କ ଧାଡ଼ି ଆରମ୍ଭ କରିବାକୁ ଯୋଜନା କରାଯାଇଛି । ଭକ୍ତମାନେ ସାତ ପାହାଚ ଦେଇ ପ୍ରବେଶ ପରେ ଗରୁଡ଼ ସ୍ତମ୍ଭକୁ ପ୍ରଣାମ କରିବେ । ପରେ ନାଟମଣ୍ଡପ ହୁଣ୍ଡିର ଗୋଟିଏ ପାର୍ଶ୍ଵରେ ୩ ଟି ଧାଡ଼ିରେ ମହିଳା, ଶିଶୁ, ବରିଷ୍ଠଙ୍କୁ ଅଲଗା କରି ଛଡ଼ାଯିବ ।
ଧାଡ଼ି ଦର୍ଶନ ବ୍ୟବସ୍ଥା:
ନାଟ ମଣ୍ଡପ ହୁଣ୍ଡି ଡାହାଣ ପାର୍ଶ୍ଵରେ ୩ଟି ଧାଡ଼ିରେ ପୁରୁଷ ଭକ୍ତଙ୍କୁ ଛଡ଼ାଯିବ । ଧାଡ଼ିରେ ଯିବା ପରେ ବାହାର କାଠ ନିକଟରେ ପଡ଼ିଥିବା କାଠରାମ୍ପ ଉପରେ ଭକ୍ତମାନେ ଦର୍ଶନ କରି ଘଣ୍ଟିଦ୍ଵାର ଅବା ଗାରଦ ଦ୍ବାର ଦେଇ ବାହାରିବେ । ପ୍ରସ୍ଥାନ ପାଇଁ ଦୁଇ ଦ୍ଵାର ଖୋଲା ରହିବ । ଏହି ରାମ୍ପ ଧାଡ଼ି ଅନୁଯାୟୀ ଉଚ୍ଚା କରାଯିବ । ପ୍ରଥମ ଧାଡ଼ିରେ ଯେଉଁ ଭକ୍ତମାନେ ରହିବେ, ସେମାନେ ସବୁଠୁ ତଳେ ରହିବେ । ଦ୍ବିତୀୟ ଧାଡ଼ି ପ୍ରଥମ ଧାଡ଼ିଠାରୁ ପ୍ରାୟ ୪ ଇଞ୍ଚ ଉଚ୍ଚା ରହିବ । ତୃତୀୟ ଧାଡ଼ି ବି ସେଭଳି ୪ ଇଞ୍ଚ ଉଚ୍ଚା ରହିବ । ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ପଷ୍ଟ ଦର୍ଶନ କରିପାରିବେ । ଏହି କାଠରାମ୍ପ ତଳେ ଚକା ଲଗାଯିବ । ଦୁଇପାର୍ଶ୍ଵରେ ଭିଡ଼ିବା ପାଇଁ ଦଉଡ଼ି ଲାଗିବ । ନୀତି ପାଇଁ ଦର୍ଶନ ବନ୍ଦ ବେଳେ କାଠ ରାମ୍ପକୁ ମଝିରୁ ଅଲଗା କରି ଦୁଇପାର୍ଶ୍ଵରୁ ଟାଣି ବାହାର କରିବା ବ୍ୟବସ୍ଥା ରହିବ । ସାତପାହାଚରୁ ଧାଡ଼ି କଲେ ଗରୁଡ଼ ସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିବାରେ ଅଡୁଆ ସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଗରୁଡ଼ସ୍ତମ୍ଭ ସ୍ପର୍ଶ ପରେ ଧାଡ଼ି ଦର୍ଶନ ଡିଜାଇନ କରାଯାଇଛି । ନାଟମଣ୍ଡପ ଧାଡ଼ି ଦର୍ଶନର ସମସ୍ତ ବ୍ୟବସ୍ଥା ପାଇଁ ଓବିସିସି ଡିଜାଇନ ପ୍ରସ୍ତୁତ କରିଛି । ଆବଶ୍ୟକ ପଡିଲେ ଏହାର ପରିବର୍ତ୍ତନ ମଧ୍ୟ କରାଯିବ । ନୂଆ ସରକାରରେ ଏ ସମ୍ପର୍କରେ ବହୁବାର ସମୀକ୍ଷା କରାଯାଇ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଥିବା ଆଇନମନ୍ତ୍ରୀ ସୂଚନା ଦିଆଯାଇଛି ।
ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା । ପ୍ଲାଟଫର୍ମ ଅନୁଯାୟୀ ଏହି ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ସୂଚାରୁ ରୂପରେ କରିବା ଲାଗି ବ୍ୟବସ୍ଥା କରାଯାଉଛି । ନାଟ ମଣ୍ଡପରେ ଗରୁଡ ସ୍ତମ୍ଭରୁ ଆରମ୍ଭ କରି ବାହାର କାଠ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ଠିଆ ହେଲେ ବି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଶୃଙ୍ଖଳିତ କରିବା ନେଇ ବ୍ୟବସ୍ଥା କରାଯାଇଛି । ବାହାର କାଠ ବାହାରେ ଭକ୍ତ ଆଉ ଠେଲାପେଲା ହେବେ ନାହିଁ, ଏଭଳି ଏକ ଶୃଙ୍ଖଳିତ ବ୍ୟବସ୍ଥା ହେଉଛି । ମହାପ୍ରଭୁଙ୍କ ଭକ୍ତ, ଜଗନ୍ନାଥ ପ୍ରେମୀ ଓ ଜନତା ଆମକୁ ସହଯୋଗ କରିବାକୁ ଅନୁରୋଧ କରୁଛୁ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଲେ ଭକ୍ତ ଭଲ ମନରେ ମହାପ୍ରଭୁଙ୍କୁ ଦେଖି ଘରକୁ ଫେରିବେ । ନୂଆବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରିବୁ । ଆଗାମୀ ଦିନରେ ଭଗବାନଙ୍କ ଦର୍ଶନକୁ ନେଇ କୌଣସି ଅସୁବିଧା ହେବନାହିଁ, ତାହା ଉପରେ ଆମେ ନଜର ରଖିଛୁ ।"
ଏହା ବି ପଢନ୍ତୁ...ଜଗା ଦର୍ଶନ ହେବ ସହଜ, ନୂଆବର୍ଷରୁ ନୂଆ ବ୍ୟବସ୍ଥା |