ବଲାଙ୍ଗୀର:ସେମିଷ୍ଟାର ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରକ୍ରିୟା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଆଜି ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି ।ସେମାନେ ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । "ଏଠାରେ ସେମିଷ୍ଟାର ପରୀକ୍ଷା ପ୍ରତ୍ୟେକ ଦୁଇ ମାସରେ ହେଉଛି। ଯାହା ୬ ମାସର ବ୍ୟବଧାନ ସମୟରେ ହେବା କଥା" ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଚଳିତ ଥର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଇଥିଲା । 'ନୂଆ ଓଡି଼ଶା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବ୍ୟସ୍ତ ରହିଥିଲେ। ଏହି ପରିସ୍ଥିରେ ସେମିଷ୍ଟାର ପରୀକ୍ଷା ଦେବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । କାରଣ ବିଭିନ୍ନ କାର୍ଯ୍ୟକ୍ରମ କାରଣରୁ ପାଠପଢା ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ପରୀକ୍ଷା କରାଇବା ଦ୍ବାରା ସେମାନେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଆଶଙ୍କା ରହିଥିବା କହିଛନ୍ତି । ତେଣୁ ପରୀକ୍ଷା ବାତିଲ କରିବା କିମ୍ବା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ସେମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବାରମ୍ବାର ଦେଖାକରିଥିଲେ। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ର।