ପୁରୀ: ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଓ 8 ତାରିଖରେ ଜାଗର ପର୍ବ ପାଳନ ହେବ । ତେବେ ଏହାକୁ ଶୃଙ୍ଖଳିତ ଭାବେ କିପରି ପରିଚାଳନା କରାଯିବ, ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଉପଜିଲ୍ଲାପାଳ ଭବ ତରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଭୁ ଲୋକନାଥଙ୍କ ସେବକ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ, ସେନେଇ ଆଲୋଚନା ହୋଇଥଲା ।
ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କୁ ବର୍ଷକରେ ଗୋଟାଏ ଦିନ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ମିଳିଥାଏ । ତେଣୁ ଏହିଦିନ ଭକ୍ତଙ୍କର ବେଶ ଭିଡ ହୋଇଥାଏ । ଯାହାକୁ ପରିଚାଳନା କରିବା ପୋଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ସେଥିପାଇଁ ସେହିଦିନ କିଭଳି ପଙ୍କୋଦ୍ଧାର ହେବ, ସେଠାରେ କେଉଁ କେଉଁ ବ୍ୟକ୍ତି ଉପସ୍ଥିତ ରହିବେ ସେନେଇ ପ୍ରସ୍ତୁତି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଅଗ୍ନିଶମବାହିନୀକୁ ମଧ୍ୟ ଆଲର୍ଟ ରଖାଯିବ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ମନ୍ଦିର ସେବକଙ୍କ ସହଯୋଗ ଲୋଡ଼ିଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ