ନବରଙ୍ଗପୁର: ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଅଞ୍ଚଳରେ ପ୍ରଥମ ଥର ପାଇଁ ହେଲା ମତଦାନ ବୁଥ । ଲଞ୍ଚରେ ଗଲେ ପୋଲିଂ ଅଧିକାରୀ । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀର ଜଳବନ୍ଦୀ ବିଛିନ୍ନାଞ୍ଚଳରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ନିଜ ଭିଟାମାଟିରେ ଭୋଟ ଦେବେ ଇନ୍ଦ୍ରାବତୀ ଜଳବନ୍ଦୀ ବିଛିନ୍ନାଞ୍ଚଳ ବାସିନ୍ଦା । ଯାହା ପଇଁ ଆଜି ପୋଲିଂ ଅଧିକାରୀ ମାନେ ମୋଟର ଲଞ୍ଚରେ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ ନେଇ ପୋଲିଂ ବୁଥକୁ ଯାଇଛନ୍ତି ।
ପୂର୍ବରୁ ଏମାନେ କେନ୍ଦୁଗୁଡ଼ା ଓ ମଞ୍ଚାଗାଁରେ ଭୋଟ ଦେଉଥିଲେ । ଯାହା ପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାର ଅତିକ୍ରମ କରି ନିଜ ମତ ସାବ୍ୟସ୍ତ କରିବା ପାଇଁ ଆସୁଥିଲେ ସେହି ଅଞ୍ଚଳର ଲୋକ । ଯାହା ଫଳରେ ଖୁବ କମ ପରିମାଣରେ ମତଦାନ ହେଉଥିଲା । ଶତ ପ୍ରତିଶତ ମତଦାନ କରିବାର ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ଚଳିତ ନିର୍ବାଚନରେ ସେମାନଙ୍କ ପାଇଁ ଗ୍ରାମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ଟ ଟିମ୍ ସହିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତକୁ ପୋଲିଂ ଅଧିକାରୀ ଯାଇଛନ୍ତି । ଏହି ପଞ୍ଚାୟତର ଗୁରୁମାଇଗୁଡ଼ା, ଟାଙ୍ଗୀନକୋଟ, ତଲଙ୍ଗ, ବାଗରା ଓ ଝୋଲାଗୁଡା ଗ୍ରାମବାସୀ ଚଳିତ ବର୍ଷ ନିଜ ଅଞ୍ଚଳରେ ଭୋଟ ଦେବେ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବିଚ୍ଛିନ୍ନାଞ୍ଚଳରେ ୨୬୮ ଓ ୨୬୯ ଭଳି ଦୁଇଟି ବୁଥ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।