ଭୁବନେଶ୍ବର: ନୂଆ ସରକାର ଦାୟିତ୍ବ ନେବାପରେ ଖୋଲିବ କି ପୁରୁଣା କେସର ଫାଇଲ ? ହଟିବକି ମାହାଙ୍ଗା ଡବଲ ମର୍ଡର ମିଷ୍ଟ୍ରି ଉପରୁ ପରଦା ? ସାମ୍ନାକୁ ଆସିବ କି ନବ ଦାସ ହତ୍ୟାକାଣ୍ଡର ହାଇପ୍ରୋଫାଇଲ ଲିଙ୍କ୍ ? ଫିଟିବ କି ପରି ହତ୍ୟାକାଣ୍ଡ ଓ ମମିତା ମର୍ଡର ମିଷ୍ଟ୍ରିର ଅଫିଟା ରହସ୍ୟ ? ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ବ ନେବା ପରେ ଆଜି ରାଜ୍ୟର ବରିଷ୍ଠ ଆଇପିଏସ ଅଫିସରଙ୍କୁ ଭେଟିଛନ୍ତି । ପୋଲିସ ଡିଜିଙ୍କ ସହ ଅନେକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବା ପରେ ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ରାଜ୍ୟ ପୋଲିସ ବିଭାଗ । ଆଉ ଯାହାକୁ ନେଇ ହାଇପ୍ରୋଫାଇଲ୍ କେସ ଗୁଡ଼ିକ ରି-ଓପନ ନେଇ ଆଶଙ୍କା କରିଛନ୍ତି ବରିଷ୍ଠ ସାମ୍ବାଦିକ ।
ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ରାଜ୍ୟରେ ବିଜେପି ପୂର୍ବ ବିଜେଡି ସରକାର ବିରୋଧରେ ବିଶାଳ ଗର୍ଜନ କରିଥିଲା । ଯାହାକୁ ନେଇ ପୂର୍ବରୁ ବିଧାନସଭାରେ ମଧ୍ୟ ତୁମ୍ବିତୋଫାନ କରିଥିଲା ବିରୋଧୀ ଦଳ ଆସନରେ ବସିଥିବା ବିଜେପି । ସେତେବେଳେ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ଭୂମିକାରେ ଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ନେତୃତ୍ବରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ସେତେବେଳର କିଛି ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଲୋୟର ପିଏମ୍ଜିରେ ବିଶାଳ ଗର୍ଜନ କରିଥିଲା ବିଜେପି । ଏନେଇ ଯୁବନେତା ତଥା ଏବେକାର ନବନିର୍ବାଚିତ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ତେବେ ଯେଉଁ ପ୍ରସଙ୍ଗକୁ ଆଧାର କରି ବିଜେପି ଲୋକଙ୍କ ଆସ୍ଥାଭାଜନ ହୋଇଛି, ମୁଖ୍ୟମନ୍ତ୍ରୀ ସେଭଳି ଦିଗକୁ ଗୁରୁତ୍ବ ଦେବେ ବୋଲି ଅନୁମାନ କରିଛନ୍ତି ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ ।
ସେ କହିଛନ୍ତି, "ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ବିଭିନ୍ନ ଅପରାଧିକ ମାମଲାରେ ଶାସକ ଦଳର ଅନେକ ନେତାଙ୍କ ଭୂମିକା ରହିଥିବା ଅଭିଯୋଗ ରହିଛି । ଯାହାକୁ ନେଇ ଯେଉଁ ପୁଞ୍ଜିଭୁତ ଅସନ୍ତୋଷ ଥିଲା, ସେ ଅସନ୍ତୋଷ ଫଳରେ ରାଜ୍ୟରେ ସରକାର ବଦଳିଲା । ତେଣୁ ଗରିବ ଲୋକ ବା ତଳସ୍ତରର ଲୋକେ ନ୍ୟାୟ ପାଆନ୍ତୁ । ଶୂନ୍ୟ ସହନଶୀଳତା ଢାଞ୍ଚାରେ ସେସବୁ କେସର ତଦନ୍ତ ହେଉ । ଯେଉଁ ସବୁ ଦୁର୍ନୀତି ବା ନେତାଙ୍କ ସମ୍ପୃକ୍ତ ଅଛି, ସେସବୁର ତଦନ୍ତ ହୋଇ ସାମ୍ନାକୁ ଆସୁ । କେବଳ ଯେ ତାଙ୍କର ବିରୋଧୀ ବୋଲି କାର୍ଯ୍ୟାନୁଷ୍ଠାନ ନନେଇ ଆଇନକାନୁନ ଭିତରେ ଯାହା ହୋଇପାରିବ, ସେପରି କରନ୍ତୁ ।"
ନବ ଦାସ ହତ୍ୟାକାଣ୍ଡ:-
ଝାରୁସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଜଣେ ପୋଲିସ ଏଏସ୍ଆଇ ଗିରଫ ହୋଇ ଜେଲରେ ଅଛନ୍ତି । ଏହା ପଛରେ ଆଉ ଏକ ବଡ଼ ଷଡ଼ଯନ୍ତ୍ର ଥିବା ନେଇ ବାରମ୍ବାର ଅଭିଯୋଗ କରିଆସିଥିଲା ବିଜେପି । ଏବେ ଦଳ ସରକାରକୁ ଆସିବା ପରେ ଏହି ଘଟଣା ଉପରୁ ପରଦା ହଟିପାରେ । କିଛି ହାଇପ୍ରୋଫାଇଲ୍ ଲିଙ୍କ୍ ସାମ୍ନାକୁ ଆସିପାରେ । ଏହି ଘଟଣାରେ କିଛି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି କି ନାହିଁ, ଏହାର ତଦନ୍ତକୁ ଅଧିକ ଗୁରୁତ୍ବ ଦେଇପାରନ୍ତି ବିଜେପି ସରକାର ।
ମାହାଙ୍ଗା ଡବଲ ମର୍ଡର:-