ଓଡିଶା

odisha

ETV Bharat / state

ଓଡ଼ିଶାକୁ ମିଳିବ ପ୍ରଥମ ସୌରଶକ୍ତି କାରଖାନା, ଭୂମିପୂଜନ କଲେ ମନ୍ତ୍ରୀ - SOLAR ENERGY PLANT

ଢେଙ୍କାନାଳ ପାଇଁ ରାଜ୍ୟର ପ୍ରଥମ ସୋଲାର ଏନର୍ଜି ପ୍ଲାଣ୍ଟ । ଢେଙ୍କାନାଳରେ ୱାରୀ ଏନର୍ଜିର ୬ଗିଗା ୱାଟ ସୋଲାର ପ୍ଲାଣ୍ଟର ଭୂମି ପୂଜନ କଲେ ଯୋଗାଣ ମନ୍ତ୍ରୀ ।

SOLAR ENERGY PLANT
SOLAR ENERGY PLANT (ETV Bharat Odisha)

By ETV Bharat Odisha Team

Published : Dec 15, 2024, 8:32 PM IST

ଢେଙ୍କାନାଳ: ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ଏନର୍ଜି କାରଖାନା । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଢେଙ୍କାନାଳର ନେଉଳପୋଇ ଠାରେ ଏହାର ଭୂମି ପୂଜନ କରିଛନ୍ତି ।

ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା:

SOLAR ENERGY PLANT (ETV Bharat Odisha)

ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା । ଏସିଆ ମହାଦେଶର ସର୍ବବୃହତ୍ତ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ଏହି ଉପଲକ୍ଷେ ଆଜି ଢେଙ୍କାନାଳ ସଦର ବ୍ଲକର ନେଉଳପୋଇ ଠାରେ ଏହି କାରଖାନାର ଭୂମି ପୂଜନ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି କାରଖାନାର ଭୂମି ପୂଜନ କରିଛନ୍ତି। ଭୂମି ପୂଜନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କୃଷ୍ଣପାତ୍ର ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି । "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡି଼ଶାର ସ୍ୱପ୍ନକୁ ଆଧାର କରି ଏହି ପ୍ରୟାସ । ଏହି ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତି ସାଙ୍ଗକୁ ଅଞ୍ଚଳର ଉନ୍ନତି ଓ ବିକାଶ ହେବ । ଯାହାଦ୍ବାରା ଜିଲ୍ଲାର ବିକାଶ ହେବ । ଆଉ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ। ଆଜିଠାରୁ ବିକାଶର ନିଅଁ ପଡିଲା" ବୋଲି ମନ୍ତ୍ରୀ କୃଷ୍ଣପାତ୍ର ପ୍ରକାଶ କରିଛନ୍ତି ।

୨୫ ହଜାର କୋଟି ଟଙ୍କା ନିବେଶ:
ସୂଚନା ଥାଉକି, ଗତ ସେପ୍ଟେମ୍ବର ୨୦୨୨ ମସିହାରେ ଓଡି଼ଶା ସରକାରଙ୍କ ସହିତ ଏହି କମ୍ପାନୀ ଚୁକ୍ତିନାମା କରିଛି । "ଢେଙ୍କାନାଳ ସଦର ବ୍ଲକ ନେଉଳ ପୋଇଠାରେ ଏହି କାରଖାନା ପରିମିତ ଜାଗାରେ ୨୫ ହଜାର କୋଟି ଟଙ୍କା ନିବେଶ କରିବ । ୬ ଗିଗା ୱାଟ ସୋଲାର ଏନର୍ଜି ଉତ୍ପାଦନ କରିବା ସହିତ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ କାରଖାନା । ଫଳରେ କାରଖାନାରେ ପାଖାପାଖି ୧୪ହଜାର କର୍ମଚାରୀ ନିଯୁକ୍ତି ହେବେ। ଆସନ୍ତା ୯ ମାସ ମଧ୍ୟରେ ଉତ୍ପାଦନ କରିବା ଆରମ୍ଭ କରିବ ବୋଲି ପ୍ରକାଶ କରିଛନ୍ତି କାରଖାନାର ନିର୍ଦ୍ଦେଶକ ହିତେଶ ମେହେଟ୍ଟା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସପି ଅଭିନବ ସୋନକର ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

ଏହା ବି ପଢନ୍ତୁ...କୋରାପୁଟର ସୌର ଗାଁ: ବିଜୁଳି ଅଛି, ନାହିଁ ବିଲ୍‌ ଟେନସନ

ଏହା ବି ପଢନ୍ତୁ...Solar Auto: ସୌରଶକ୍ତିରେ ଘାଇଁ ଘାଇଁ ଗଡିବ ସୋଲାର ଅଟୋ, ବାପାକୁ ଜ୍ଞାନ ଦେଇଥିଲା ଝିଅ

ପାରିପାର୍ଶ୍ୱକ ଉନ୍ନତିକୁ ଗୁରୁତ୍ବ:

"କାରଖାନାରେ ସ୍ଥାନୀୟ ନିଯୁକ୍ତି ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ୱକ ଉନ୍ନତି ଦିଗରେ ଗୁରୁତ୍ୱ ଦିଆଯିବ" ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଜମି ହରାଇଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଢେଙ୍କାନାଳରେ ଓଡ଼ିଶାର ପ୍ରଥମ ସୋଲାର ଏନର୍ଜୀ କାରଖାନା ପ୍ରତିଷ୍ଠା ନେଇ ଉତ୍ସାହିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details