ଭୁବନେଶ୍ବର: ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି କେନ୍ଦ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇସାରିଲାଣି । କିନ୍ତୁ ବିଜେଡି ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’(BSKY) ଛାୟାରୁ ମୁକ୍ତ ହୋଇ ‘ଆୟୁଷ୍ମାନ ଭାରତ’କୁ ଲାଗୁ କରିବା ବିଜେପି ସରକାରଙ୍କ ପାଇଁ କାଠିକର ପାଠ ହୋଇଛି । ‘ବିଏସକେୱାଇ’ର ନାଁ ପରିବର୍ତ୍ତନ କରି ସେହି ଢାଞ୍ଚାରେ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ବା (GJAY) କାର୍ଯ୍ୟକାରୀ କରିବାକୁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ‘GJAY’କୁ ‘ଆୟୁଷ୍ମାନ’ ସହ ମିଶ୍ରଣ କରିବା ନୂଆ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ସ୍ପଷ୍ଟ ଚିତ୍ର ମିଳୁନଥିବାରୁ ହିତାଧିକାରୀ ଅନିଶ୍ଚିତତାରେ ଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
- ଉଭୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ କେନ୍ଦ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାରେ ବିଧିବଦ୍ଧ ଭାବେ ‘ଆୟୁଷ୍ମାନ’ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଓଡିଶାରେ ଆୟୁଷ୍ମାନ ଭାରତ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’କୁ ସମ୍ମିଶ୍ରଣ କରି ଏକ ସମୟରେ କାର୍ଯ୍ୟକାରୀ କରାଯିବ ବୋଲି ସରକାର କହୁଛନ୍ତି । ଉଭୟ ଯୋଜନାର କାର୍ଯ୍ୟକାରିତା ଭିନ୍ନ ହୋଇଥିବାରୁ ଦୁଇଟି ଯୋଜନାରୁ ହିତାଧିକାରୀ କିଭଳି ଉପକୃତ ହେବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆୟୁଷ୍ମାନ ଭାରତର ସର୍ତ୍ତାବଳୀ ସମଗ୍ର ଦେଶ ପାଇଁ ଗୋଟିଏ । ଆୟୁଷ୍ମାନ ଜରିଆରେ ଓଡିଶାର ହିତାଧିକାରୀ କିଭଳି ଅଧିକ ଲାଭ ପାଇବେ, ତାହାକୁ ନେଇ ସନ୍ଦେହ ରହିଛି ।
- କଣ ରହିଛି ଉଭୟ ଯୋଜନା ମଧ୍ୟରେ ସର୍ତ୍ତାବଳୀରେ ଭିନ୍ନତା
‘ବିଏସକେୱାଇ’ରେ ଲୋକେ ଯେପରି ସହଜ ଓ ସୁବିଧାରେ ମାଗଣା ସ୍ୱାସ୍ଥ୍ୟ ସେବା ପାଉଥିଲେ, ଆୟୁଷ୍ମାନରେ ସେପରି ବ୍ୟବସ୍ଥା ନଥିବା ଉପଲବ୍ଧି କରି ନୂଆ ସରକାର ଯୋଜନାର ନାଁ ପରିବର୍ତ୍ତନ କରି ‘ଜିଜେଏୱାଇ’ ନାଁ'ରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ସାରା ଦେଶରେ ‘ଆୟୁଷ୍ମାନ ଭାରତ’ ଲାଗୁ ହୋଇଥିବା ବେଳେ ଓଡିଶାରେ ଦୁଇଟି ଯୋଜନାର ମିଶ୍ରଣ କରିବା ନୂଆ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ‘ବିଏସକେୱାଇ’ରେ ପୁରୁଷଙ୍କ ପାଇଁ ବାର୍ଷିକ 5 ଲକ୍ଷ ଚିକିତ୍ସା ଖର୍ଚ୍ଚ ଥିଲା । ମହିଳାଙ୍କୁ 10 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ଆୟୁଷ୍ମାନରେ ସର୍ବାଧିକ ଚିକିତ୍ସା ରାଶି 5 ଲକ୍ଷ ଅଛି । କିନ୍ତୁ ମହିଳାଙ୍କ ପାଇଁ ଅଧିକ ଚିକିତ୍ସା ବ୍ୟବସ୍ଥା ନାହିଁ । ଯୋଜନା ଦ୍ୱୟ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବଳବତ୍ତର ରହିବ । ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ଯୁଗ୍ମ ସ୍ୱାସ୍ଥ୍ୟ ଯୋଜନା ପରିଚାଳିତ ହେବ ।
ଏହା ମଧ୍ୟ ପଢନ୍ତୁ:- କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU' ଏହା ବି ପଢନ୍ତୁ...ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ |
ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଲେ ମହିଳା ହିତାଧିକାରୀଙ୍କ ଚିକିତ୍ସା ବାବଦରେ 5 ଲକ୍ଷରୁ ଅଧିକ ଖର୍ଚ୍ଚ ହେଲେ ସମ୍ପୃକ୍ତ ଘରୋଇ ହସ୍ପିଟାଲକୁ ଅର୍ଥ ଭରଣା କିପରି ମିଳିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାଢେ଼ 3 କୋଟି ହିତାଧିକାରୀ ଥିବା ବେଳେ ଆୟୁଷ୍ମାନ ଭାରତରେ ମଧ୍ୟ ସାଢେ଼ 3 କୋଟି ହିତାଧିକାରୀ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରୁ ବାହାରେ ଥିବା ଲୋକ ଆୟୁଷ୍ମାନ ଭାରତରେ ସାମିଲ ହୋଇ ନ ପାରିବା ସ୍ପଷ୍ଟ ହୋଇଛି । ଆୟୁଷ୍ମାନ ଭାରତରେ ରାଜ୍ୟର 23 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ସାମିଲ କରାଯିବାକୁ ସରକାର ଘୋଷଣା କରିଛନ୍ତି । ତେଣୁ ହିତାଧିକାରୀଙ୍କ ସଂଖ୍ୟା ଅନ୍ୟୂନ 3.73 କୋଟିରେ ପହଞ୍ଚିବ । ମାତ୍ର ବିଭାଗୀୟ ମନ୍ତ୍ରୀ 3 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ ବୋଲି କହିବା ହିତାଧିକାରୀଙ୍କୁ ଦ୍ବନ୍ଦ୍ୱରେ ପକାଇଛି ।
- କେନ୍ଦ୍ର ସହ ଚୁକ୍ତିନାମା ପରେ କଣ କହିଥିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟର ଲାଗୁ କରିବା ଲାଗି କେନ୍ଦ୍ର ସରକାରଙ୍କ ସହ ଓଡିଶା ସରକାର ଚୁକ୍ତି କରିଛନ୍ତି । 2018 ମସିହାରୁ ଓଡିଶା ବାସୀ ଏ ସୁବିଧାରୁ ବଞ୍ଚିତ ହେଉଥିଲେ । ପୂର୍ବ ସରକାର ହୀନମନ୍ୟତା କାରଣରୁ ଏହି ଯୋଜନାକୁ ଲାଗୁ କରୁନଥିଲେ । ଆମ ସରକାର ଏହାକୁ ଲାଗୁ କରିଛନ୍ତି । 1 କୋଟି 3 ଲକ୍ଷ ଲୋକ ସାହାଯ୍ୟ ପାଇବେ । ଦେଶର ବିଭିନ୍ନ ଜାଗାରେ 30 ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକ ଏହାର ସୁବିଧା ପାଇପାରିବେ । 70 ବର୍ଷରୁ ଅଧିକ ପ୍ରାୟ 23 ଲକ୍ଷ ବୟସ୍କ ଲୋକଙ୍କୁ ମଧ୍ୟ ଏହାର ସୁବିଧା ମିଳିବ । ପ୍ରତି ପଂଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକାରୀ କରିବାକୁ ଯାଉଛୁ । ପ୍ରତି ପଂଚାୟତରେ ଏଏନଏମ୍, ଯୋଗ ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ରହିବେ ।"
- ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ:-
ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, "ସାରା ଦେଶର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭିତରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଲାଟେଷ୍ଟ । ସାଧାରଣ ଜନସାଧାରଣ ଏହି ଯୋଜନାରେ ଉପକୃତ ହେଉଥିଲେ । ଯେଉଁମାନଙ୍କ ପାଖରେ ଏହି କାର୍ଡ ଥିଲା, ସେ ଏହାର ଉପକାରିତା ଜାଣିଥିଲା । ପ୍ରଚାର ପ୍ରସାର ଲାଗି ବିଜେପି ସରକାର ଆୟୁସ୍ମନ ଭାରତ ଯୋଜନା ଲାଗୁ କରୁଛନ୍ତି । ଏଥିରେ ଓଡ଼ିଶାର ଯୋଜନାକୁ ମିଶେଇ ଗୋଟିଏ କାର୍ଡ ବ୍ୟବସ୍ଥା କରୁଛନ୍ତି ବୋଲି କହୁଛନ୍ତି । ଏହାର କାର୍ଯ୍ୟକାରିତା କଣ ରହିବ ଆଗାମୀ ସମୟ କହିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାର ଲୋକ ଯେଉଁ ସୁବିଧା ପାଇଥିଲେ, ସେଥିରେ ଯେମିତି ତୃଟି ବିଚ୍ୟୁତି ନହେଉ । ସାଧାରଣ ଲୋକ ହନ୍ତସନ୍ତ ନହୁଅନ୍ତୁ ।"
ଇଟିଭି ଭାରତ, ଭୁବନେଶ୍ବର