ନିମାପଡ଼ା: ରାତି ପାହିଲେ ଦେଇଥାନ୍ତେ ଲ’(LAW) ପରୀକ୍ଷା । ପରୀକ୍ଷା ଦେବାକୁ ଆସିଥିଲେ ପୁରୀ । ହେଲେ ଦୁର୍ଘଟଣାରେ ଚାଲିଗଲା ୨ ଜଣ ଛାତ୍ରଙ୍କ ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ନିକଟରେ । ଏକ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।
ପୋଖରୀରେ ଖସିପଡ଼ିଲା କାର୍:
ଗତକାଲି(ବୁଧବାର) ବିଳମ୍ବିତ ରାତିରେ କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ଠାରେ ଏକ କାର କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା । ମୃତକ ହେଲେ ନିମାପଡ଼ା ଗୁହାଳପଡା ଅଞ୍ଚଳର ଗାଡି ଚାଳକ ସନ୍ଦୀପ ମହାପାତ୍ର ଓ ଅନ୍ୟ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦାନ୍ତୁନି ଅଞ୍ଚଳର ସନାତନ ସେନାପତି । ସେହିପରି ଆହତ ଦୁଇ ଜଣ ହେଲେ ମନୀଷ ସେନାପତି ଓ ବାଲିପାଟଣା ଅଞ୍ଚଳର ପୁପୁଲ ପରିଡ଼ା ।
ଆଜି ଥିଲା ଲ’ ପରୀକ୍ଷା:
ଆଜି ପୁରୀରେ ଲ’ ପରୀକ୍ଷା ଥିଲା । ଏଥିପାଇଁ ଆସିଥିଲେ । ହେଲେ ପରୀକ୍ଷା ପୂର୍ବରୁ କୋଣାର୍କ ବୁଲିବାକୁ ଯାଇଥିଲେ । ଫେରିବା ବାଟରେ ଦୁର୍ଘଟଣାର ଶିକାର ହେଲେ । ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ଆହତଙ୍କୁ ଗୋପ ମେଡିକାଲରେ ଚିକିତ୍ସା କରାଯାଉଛି । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣା, ଡ୍ରାଇଭର ସମେତ ୫ ଓଡ଼ିଆ ମୃତ ୧୫ ଫୁଟ ତଳକୁ ଖସିଲା ବସ୍, ଅଧାରେ ଅଟକିଲା କାଳୀଜାଇ ଦର୍ଶନ |
କେମିତି ଘଟିଲା ଦୁର୍ଘଟଣା କହିଲେ ଆହତ :
ଆହତ ପୁପୁଲ ପରିଡ଼ା କହିଛନ୍ତି, ‘ଆମେ କୋଣାର୍କ ବୁଲାବୁଲି କରିବାକୁ ଆସିଥିଲୁ । ଫେରୁଥିବା ବେଳେ ରାସ୍ତାରେ ପିଚୁ ଗାଡ଼ି ଥିଲା । ପିଚୁ ଗାଡି ଦେଖି ଗାଡି ଭାରସାମ୍ୟ ହରାଇ ନିକଟରେ ଥିବା ଛୋଟ ପୋଖରୀରେ ପଶି ଓଲଟି ଯାଇଥିଲା । ସ୍ଥାନୀୟ ପିଲାଙ୍କ ସହାୟତାରେ ଆମେ ବାହାରି ଗଲୁ । ସେମାନେ ସିଲ୍ଟ ବେଲ୍ଟ ଲଗାଇ ଥିବାରୁ ବାହାରି ପାରିନଥିଲେ । ଆଜି(ଗୁରୁବାର) ଲ’ ପରୀକ୍ଷା ଥିଲା । ଆମେ ବେଳାଭୂମି ବୁଲିବାକୁ ଆସିଥିଲୁ । ଦୁର୍ଘଟଣା ହେଲା ।
ଇଟିଭି ଭାରତ, ନିମାପଡ଼ା