ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇଛି ସ୍କୁଲ ସ୍ତରରେ ଗ୍ରୀଷ୍ମ ଛୁଟି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇରନ୍ ଏବଂ ଫୋଲିକ୍ ଏସିଡ୍ (IFA) ବଟିକା ଯୋଗାଇ ଦେବ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହି ବଟିକା ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ଆରମ୍ଭ ହୋଇଛି । ଯାହା ବଳରେ ଏହି ଟାବଲେଟ ପ୍ରଦାନ କରାଯିବ ।
କେବଳ ସୋମବାର ଦିନ IFA ଟାବଲେଟ ଯୋଗାଇ ଦିଆଯିବ ବୋଲି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏହା ସହ ପ୍ରତ୍ୟେକ ସୋମବାର ଦିନ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଚିଠି ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଏହି ଔଷଧ ବଣ୍ଟନ କରାଯିବ ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଆଇଏଫ୍ଏ ଗୋଲାପି ବଟିକା ଏବଂ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଆଇଏଫଏ ନୀଳ ବଟିକା ଦିଆଯିବ । ଅଭିଭାବକମାନଙ୍କ ଉପସ୍ଥିତିରେ ଏହି ସମସ୍ତ ବଟିକା ବଣ୍ଟନ କରାଯିବ । ଏହି ବଟିକା କେବଳ ଖରା ଛୁଟି ସମୟରେ ପ୍ରତି ସୋମବାର ଦିନ ଦିଆଯିବ । ଏହାର କାର୍ଯ୍ୟକାରିତା ଉପରେ ଅଭିଭାବକ ମାନଙ୍କୁ ଅବଗତ କରାଯିବ । ପ୍ରତ୍ୟେକ ସୋମବାର ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ପିଲାମାନେ ସେମାନଙ୍କ ପିତାମାତାଙ୍କ ଉପସ୍ଥିତିରେ ଏକ ଗ୍ଲାସ୍ ପାଣି ସହିତ ଗୋଟିଏ ଆଇଏଫ୍ଏ ବଟିକା ଖାଇବେ ।
ଏହାମଧ୍ଯ ପଢନ୍ତୁ.. ବଢିବ ଗଣିତ ଦକ୍ଷତା, ଆମୋଦ ପ୍ରମୋଦ ମାଧ୍ୟମରେ ସଂଖ୍ୟାଜ୍ଞାନ ଶିଖିବେ ଛାତ୍ରଛାତ୍ରୀ - Education Department
ସୂଚନା ଅନୁଯାୟୀ, ଗ୍ରୀଷ୍ମ ଛୁଟିରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ ଅବକାଶକାଳୀନ ଗୃହକାର୍ଯ୍ୟ (ହଲିଡେ ହୋମୱାର୍କ) ଦିଆଯିବ । ଏହି ଅବକାଶକାଳୀନ ଗୃହକାର୍ଯ୍ୟକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ । ଛାତ୍ରୀଛାତ୍ରଙ୍କର କୌଣସି ବିଷୟରେ ଦ୍ୱନ୍ଦ ରହିଥିଲେ ସେମାନେ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ ଯୋଗେ ସେମାନଙ୍କର ସନ୍ଦେହ ଦୂର କରିପାରିବେ । ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରଛାତ୍ରୀମାନେ କିପରି ନିଜେ ନିଜେ ପାଠ ପଢିବେ ସେଥିପାଇଁ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକମାନେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ଡ୍ୟୁଟି କରିବେ । ସ୍କୁଲରେ ରୋଷ୍ଟର ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ ।
ଇଟିଭି ଭାରତ, ଭୁବନେଶ୍ୱର