ସୁବର୍ଣ୍ଣପୁର:ଚଳିତ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଛି । ଆଉ ତିନି ଦିନ ପରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ମାତିଛନ୍ତି । ପ୍ରାର୍ଥୀମାନେ ଗାଁରୁ ଗାଁ ଘର ଘର ବୁଲି ପ୍ରାର୍ଥୀମାନଙ୍କ ଉପରେ ପ୍ରତିଶ୍ରୁତି ଅଜାଡି ଦେଉଛନ୍ତି । ନିଜ ସପକ୍ଷରେ ମତଦାନ କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରୁଛନ୍ତି । ସେହିପରି ବୀରମହରାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉଷ୍ଣ ହେଉଛି ରାଜନୀତି ପାଣିପାଗ ।
ଏହି ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସହ ଓ ସ୍ବାଧୀନ ଭାବେ ସାତ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ହେଲେ ବିଜେଡି,ବିଜେପି ଓ କଂଗ୍ରେସ ଭିତରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ବିଜେଡିରୁ ପୁରୁଖା ନେତା ପଦ୍ମନାଭ ବେହେରା ନିର୍ବାଚନ ମୈଦାନରେ ରହି ଥିବାବେଳେ ବିଜେପିରୁ ଯୁବ ନେତା ରଘୁନାଥ ଜଗଦଲା ଓ କଂଗ୍ରେସରୁ ପ୍ରଦୀପ ସେଠୀ ନିର୍ବାଚନ ଲଢୁଛନ୍ତି । ତେବେ ପଦ୍ମନାଭ ବେହେରା ଜଣେ ପୁରୁଖା ନେତା ଭାବେ ବୀରମହାରାଜପୁର ଆସନରୁ ତିନିଥର ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି । ଏହାସହ ବିଜୁପଟ୍ଟନାୟକ ଓ ନବୀନ ପଟ୍ଟନାୟକ କ୍ୟାବିନେଟରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଛନ୍ତି ।