ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଯାଇଛି ଟ୍ରମ୍ପ ୨.୦ ଶାସନ । ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଆକ୍ସନ ମୋଡରେ ଡୋନାଲ୍ଡ ଟ୍ରମ୍ପ । ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରେ ରହିବାକୁ ଦିଆନଯିବା ନେଇ ଟ୍ରମ୍ପ ଘୋଷଣା କରି ସାରିବା ପରେ ଏବେ ଅନେକ ପ୍ରବାସୀଙ୍କ ମନରେ ଛନକା । ଏହାମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବଡ ଘୋଷଣା କରିଛନ୍ତି ।
ସ୍ବଦେଶ ଫେରିବେ ଆମେରିକାରେ ରହୁଥିବା ପ୍ରବାସୀ:
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଛନ୍ତି ଯେ, "ଆମେରିକା ସମେତ ବିଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ନୂଆଦିଲ୍ଲୀ ଦ୍ୱାର ଖୋଲାଅଛି ।"
'ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ'
ଓ୍ବାଂଶିଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ. ଜୟଶଙ୍କର କହିଛନ୍ତି, " ଆମେ ସବୁବେଳେ ମତ ରଖିଛୁ ଯେ, ଆମର ଯେଉଁ ନାଗରିକ ଏଠାରେ ଆଇନତଃ ଭାବେ ନାହାନ୍ତି, ସେମାନଙ୍କର ସ୍ୱଦେଶ ଫେରିବାକୁ ଆମେ ସମର୍ଥନ କରୁଛୁ । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ । ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଏହା ସେ ସ୍ପଷ୍ଟ ଭାବରେ ଜଣାଇଛନ୍ତି ।
ଆମେରିକାରେ ବେଆଇନ ଭାବେ ଅଛନ୍ତି ୧୮ହଜାର ଭାରତୀୟ ପ୍ରବାସୀ :
ଆମେରିକାରେ ବେଆଇନ ଭାବେ ପାଖାପାଖି ୧୮ହଜାର ଭାରତୀୟ ପ୍ରବାସୀ ରହୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, " ଆମେରିକାରେ ବେଆଇନ ଭାବେ ରହୁଥିବା ୧୮ ହଜାର ଭାରତୀୟଙ୍କ ପ୍ରବାସୀଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଓ ଗୁଜରାଟର । ଆମେରିକାର ଗୃହ ବିଭାଗର 2023 ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ବହୁତ ଅଧିକ ହୋଇପାରେ, 2022 ସୁଦ୍ଧା ଆମେରିକାରେ 2.2 ଲକ୍ଷ ଅନଧିକୃତ ଭାରତୀୟ ପ୍ରବାସୀ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ