ଭୁବନେଶ୍ବର: ଆଜି ଅଷ୍ଟମ ତମ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଣିଲେ ଲୋକଙ୍କ ଦୁଃଖ । 1000 ଅଭିଯୋଗରୁ ଆଜି 700 ଅଭିଯୋଗ ଶୁଣିବା ସହ କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଇଲେ ମୁଖ୍ୟମନ୍ତ୍ରୀ । ଏଥିସହ ସାଧାରଣ ଲୋକଙ୍କୁ ଅପିଲ କଲେ ମୋହନ । ଭୁବନେଶ୍ୱର ଆସିଲେ ପଇସା ଖର୍ଚ୍ଚ ହେବ । ନିଜ ନିଜ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ।
ଅଷ୍ଟମ ଅଭିଯୋଗ ଶୁଣାଣି:
ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଅଭିଯୋଗ ଶୁଣିଛନ୍ତି । ଆଜି ଥିଲା ଅଷ୍ଟମ ଅଭିଯୋଗ ଶୁଣାଣି । ଗତ ସାତଟି ପାଳିରେ ଗ୍ରହଣ ହୋଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୮୧ ପ୍ରତିଶତ ମାମଲାର ହୋଇଛି ସମାଧାନ । ବଲାଙ୍ଗୀରର ଆଲୋକ କାଲଶେଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ବୌଦ୍ଧର ପ୍ରତ୍ୟୁଷା ଗିରିଙ୍କ ଚିକିତ୍ସା ପାଇଁ CMRFରୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
![ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି](https://etvbharatimages.akamaized.net/etvbharat/prod-images/03-02-2025/23465760_g-5.jpeg)
ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ ଅଭିଯୋଗ ସମାଧାନ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ କେସ ସମାଧାନ ହୋଇଛି । ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ତନ୍ମଧ୍ୟରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି । ପ୍ରଥମ ପାଳିରେ ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଦ୍ୱିତୀୟ ପାଳିରେ ୮୮ ପ୍ରତିଶତ, ତୃତୀୟ ପାଳିରେ ୮୬ ପ୍ରତିଶତ, ଚତୁର୍ଥ ପାଳିରେ ୮୪ ପ୍ରତିଶତ, ପଞ୍ଚମ ପାଳିରେ ୮୩ ପ୍ରତିଶତ, ଷଷ୍ଠ ପାଳିରେ ୫୪ ପ୍ରତିଶତ ଏବଂ ସପ୍ତମ ପାଳିରେ ୪୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ବକେୟା ଅଭିଯୋଗଗୁଡ଼ିକ ପ୍ରୋସେସରେ ରହିଛି ।’
![ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି](https://etvbharatimages.akamaized.net/etvbharat/prod-images/03-02-2025/23465760_g-6.jpeg)
ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଆସନ୍ତୁ ନାହିଁ:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକେ ଆସୁଛନ୍ତି, ଆମେ ସେମାନଙ୍କୁ ନିରାଶ କରିବୁ ନାହିଁ । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠକୁ ଆସନ୍ତୁ ନାହିଁ । ଏଠାକୁ ନଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ । ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ।
![ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି](https://etvbharatimages.akamaized.net/etvbharat/prod-images/03-02-2025/23465760_g-3.jpeg)
ଶୁଣିଲେ 7 ବର୍ଷର ଝିଅର ଦୁଃଖ:
ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ଖର୍ଚ୍ଚ । ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏକମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ପାଇଁ ଦେଖା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରକୁ ଘର ଯୋଗାଇ ଦିଆଯିବ ।
![ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି](https://etvbharatimages.akamaized.net/etvbharat/prod-images/03-02-2025/23465760_g-2.jpeg)
ଏହା ମଧ୍ୟ ପଢନ୍ତୁ: ୫ମ ପାଳିରେ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା - CM complaint hearing program |
ଆଲୋକଙ୍କ ଦୁଃଖ ଶୁଣିଲେ:
ସେହିପରି ଆଉ ଜଣେ ଥିଲେ ବଲାଙ୍ଗୀରର ରତନ କାଲଶେ । ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ କାଲଶେକୁ ସାଙ୍ଗରେ ନେଇ ଆସିଥିଲେ । ପିଲାର କଷ୍ଟ ଦେଖି ତୁରନ୍ତ ହସ୍ପିଟାଲ ପଠାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ ମୁଖ୍ୟମନ୍ତ୍ରୀ । ସି.ଏମ୍.ଆର୍.ଏଫରୁ ସହାୟତା ପ୍ରଦାନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
![ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି](https://etvbharatimages.akamaized.net/etvbharat/prod-images/03-02-2025/23465760_g-1.jpeg)
ଇଟିଭି ଭାରତ, ଭୁବନେଶ୍ବର