ଓଡିଶା

odisha

ETV Bharat / state

ପୁରୀରେ ଶକ୍ତି ପ୍ରଦର୍ଶନ କରିବେ ନୌବୀର, ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର - NAVY DAY INVITATION JAGANNATH

ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଦେଲେ ନୌସେନା ଅଧିକାରୀ । ନୌସେନା ଦିବସକୁ ଭବ୍ୟ ଢଙ୍ଗରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ । ଡିସେମ୍ବର 4କୁ ଅପେକ୍ଷା ।

navy day invitation to mahaprabhu
navy day invitation to mahaprabhu (ETV Bharat Odisha)

By ETV Bharat Odisha Team

Published : Nov 29, 2024, 8:19 PM IST

ପୁରୀ:ନୌସେନା ଦିବସ ଉତ୍ସବ ପାଳନ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଦେଲେ ବରିଷ୍ଠ ନୌସେନା ଅଧିକାରୀ । ନୌସେନା ଦିବସକୁ ଭବ୍ୟ ଢଙ୍ଗରେ ପାଳନ ପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ଚାଲିଛି ଜୋରଦାର ପ୍ରସ୍ତୁତି । ଡିସେମ୍ବର ୪ ତାରିଖରେ ବ୍ଲୁ ଫ୍ଲାଗ ବିଚରେ ଭବ୍ୟ ଢ଼ଙ୍ଗରେ ନୌସେନା ଦିବସକୁ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ମହାପ୍ରଭୁଙ୍କୁ ଦେଲେ ନିମନ୍ତ୍ରଣ:

navy day invitation to mahaprabhu (ETV Bharat Odisha)

ଡିସେମ୍ବର ୪ରେ ନୌସେନା ଦିବସ ପାଇଁ ନୌସେନାର ବରିଷ୍ଠ ଅଧିକାରୀ ମାନେ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଆଇଏନଏସ୍ କଳିଙ୍ଗର କମାଣ୍ଡିଙ୍ଗ ଅଫିସର ପ୍ରଦୀପ ପଟେଲ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଲାଗି କରିଥିବା ବେଳେ ନୌସେନା ଦିବସ କାର୍ଯ୍ୟକ୍ରମ ସଫଳ ହେବା ନେଇ ପ୍ରାର୍ଥନା କରିଛନ୍ତି ।

ଶକ୍ତିପ୍ରଦର୍ଶନ କରିବେ ନୌବୀର:

Navy Day Celebration preparation (ETV Bharat Odisha)

ନୌସେନା ଦିବସ ଶକ୍ତିପ୍ରଦର୍ଶନ କରିବେ ନୌବୀର । ସେଥିପାଇଁ ଗୁରୁବାର ନୌବାହିନୀର ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ମାର୍କୋସ୍ କମାଣ୍ଡୋ ଏବଂ ପାରାଚ୍ୟୁଟ ଟିମ୍ ବିଭିନ୍ନ ସମରକଳା ପ୍ରଦର୍ଶନ କରିଥିଲେ । ଏପଟେ ଶୁକ୍ରବାର ନୌସେନାର ବ୍ୟାଣ୍ଡ କନସର୍ଟର ରିହରସଲ ହୋଇଥିଲା ବ୍ଲୁ ଫ୍ଲାଗ ବିଚରେ । ନୌସେନାର ବରିଷ୍ଠ ଅଧିକାରୀମାନେ ପୁରୀରେ ପହଞ୍ଚି ସାରିଥିବା ବେଳେ ନୌସେନା ଦିବସ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି । ଇତି ମଧ୍ୟରେ ୧୫ରୁ ଊର୍ଦ୍ଧ୍ବ ଯୁଦ୍ଧ ଜାହାଜ, ୨୦ରୁ ଊର୍ଦ୍ଧ୍ବ ଏୟାରକ୍ରାଫ୍ଟ ଓ ହେଲିକପ୍ଟର, ୧୫ରୁ ଊର୍ଦ୍ଧ୍ବ ଜେମିନି ବୋଟ, ଚାରୋଟି ଯୁଦ୍ଧ ଟ୍ୟାଙ୍କ ପୁରୀ ଉପକୂଳରେ ପହଞ୍ଚି ସାରିଥିବା ବେଳେ ଆସନ୍ତା ୧ ତାରିଖ ସୁଦ୍ଧା ସମସ୍ତ ୨୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ ନୌସେନା ଦିବସ ଉତ୍ସବରେ ସାମିଲ ହେବେ ।

Navy Day Celebration preparation (ETV Bharat Odisha)

ଯୋଗ ଦେବେ ରାଷ୍ଟ୍ରପତି:

ତେବେ ଆସନ୍ତା ୩ ତାରିଖରେ ନୌବାହିନୀ ପକ୍ଷରୁ ବିଭିନ୍ନ ସମରକଳାର ଡେମୋ ପ୍ରଦର୍ଶିତ ହେବ । ଏଥିରେ ୨୨ ପ୍ରକାରର ସମରକଳା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୌସେନାର ପାରାଚ୍ୟୁଟ ଟିମ୍ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି ।

Navy Day Celebration preparation (ETV Bharat Odisha)

ଲାଲ କାର୍ପେଟରେ ବ୍ଲୁ ଫ୍ଲାଗ ବିଚ:


ଡିସେମ୍ବର ୪ରେ ନୌସେନା ଦିବସରେ ନୌସେନା ପକ୍ଷରୁ ଆକର୍ଷଣୀୟ ଲେଜର ସୋ ମଧ୍ୟ ପ୍ରଦର୍ଶିତ କରାଯିବ । ଲାଲ୍ କାର୍ପେଟରେ ଅତି ଆକର୍ଷଣୀୟ ଭାବରେ ବ୍ଲୁ ଫ୍ଲାଗ ବିଚକୁ ସଜ୍ଜା ଯାଇଛି ।‌ ନୌସେନାର ଯବାନ ମାନେ କଲ୍ଚରାଲ ଷ୍ଟେଜରେ କଣ୍ଟିନ୍ୟୁଙ୍ଗ ପରେଡ ଅଭ୍ୟାସ କରୁଛନ୍ତି ।‌ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ପାଳନରେ ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ମାନେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ସମୁଦାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ ।‌ ଭୁବନେଶ୍ୱର ଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ସେପଟେ ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି । ପୁରୀ ସହର ସମେତ ବିଭିନ୍ନ ପ୍ରବେଶ ପଥରେ ବ୍ୟାପକ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ମୁଖ୍ୟ ରାସ୍ତା ଗୁଡିକରେ ବ୍ୟାରିକେଡ଼ିଙ୍ଗ ବ୍ୟବସ୍ଥା କରାଯାଉଛି ।

Navy Day Celebration preparation (ETV Bharat Odisha)


ଶୁଭ କାର୍ଯ୍ୟ ହୁଏ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ:

navy day invitation to mahaprabhu (ETV Bharat Odisha)


ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କେବଳ ଓଡ଼ିଶାର ନୁହନ୍ତି । ସେ ହେଉଛନ୍ତି ଜଗତର ନାଥ । ଯେ କୌଣସି ଶୁଭ କାର୍ଯ୍ୟ ହୁଏ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଏହା ହେଉଛି ଆମ ଓଡ଼ିଆଙ୍କ ପରମ୍ପରା । ବାହାର ଲୋକମାନେ ମଧ୍ୟ ଏହି ପରମ୍ପରାକୁ ମାନି ଯେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ନିମନ୍ତ୍ରଣ ପତ୍ର ଦେଇ ଅବଗତ କରାଇ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡ଼ିଥାନ୍ତି । ଭକ୍ତି ଓ ନିଷ୍ଠାର ସହ ଏହି କାର୍ଯ୍ୟ ଯିଏ କରିଥାଏ ମହାପ୍ରଭୁ ସବୁ କାର୍ଯ୍ୟ ନିଜେ ସୁଚାରୁରୂପେ ସମ୍ପାଦନା କରିଥାନ୍ତି । ତେବେ ପୁରୀରେ ନୌସେନା ଦିବସ ପାଳନ ଅବସରରେ ନୌସେନା ଅଧିକାରୀମାନେ ମହାପ୍ରଭୁଙ୍କ ଦର୍ଶନ କରି କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ପତ୍ର ଦେଇ ଥିବାରୁ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ’

ସେ ଆହୁରି କହିଛନ୍ତି, ‘ଆମ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଯେଉଁ ପାଳିଆ ଖୁଣ୍ଟିଆ ଥାଆନ୍ତି ସେମାନେ ଭକ୍ତ ଦେଇଥିବା ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ନିକଟରେ ଲାଗି କରି ନିମନ୍ତ୍ରଣ ପତ୍ରକୁ ମହାପ୍ରଭୁଙ୍କ ସମ୍ମୁଖରେ ପଠନ କରିଥାନ୍ତି । ଗୁଆ, ନଡ଼ିଆ, ଚାଉଳ ସହିତ ନିମନ୍ତ୍ରଣ ପତ୍ର ଦିଆଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଥାଏ । ବିଶ୍ଵ ବ୍ରହ୍ମାଣ୍ଡ ଠାକୁରଙ୍କ ନିକଟରେ ଭକ୍ତର କଥା ପହଞ୍ଚିଲେ ନିଶ୍ଚିତ ସେ କାର୍ଯ୍ୟ ସଫଳ ହେବ ତେବେ ଏହି ପରମ୍ପରା ବହୁ ପୁରୁଣା । ତେବେ ପୁରୀରେ ନୌସେନା ଦିବସରେ ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଉଛନ୍ତି । ତେବେ ମହାପ୍ରଭୁଙ୍କୁ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ପତ୍ର ଦିଆଯାଇ ଆଶୀର୍ବାଦ ଲୋଡା ଯାଇଥିବାରୁ ନିଶ୍ଚିତ ଆଗାମୀ ନୌସେନା ଦିବସ ଉତ୍ସବ ବେଶ ସଫଳତାର ସହ ଅନୁଷ୍ଠିତ ହେବ ।"

Navy Day Celebration preparation (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପୁରୀରେ ଯୁଦ୍ଧ ଜାହାଜ, ନୌସେନା ଦିବସରେ ପରାକ୍ରମ ଦେଖିବ ଦେଶ

ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

Navy Day ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି, ପୁରୀ ସମୁଦ୍ରରେ ନୌସେନାର ଅଭ୍ୟାସ



ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆରକହିଛନ୍ତି, ‘ରାଷ୍ଟ୍ରପତି ଶ୍ରୀମନ୍ଦିର ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ସବୁ ସେବାୟତ ମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଛତିଶା ନିଯୋଗର ନିଷ୍ପତ୍ତି ମୁତାବକ ଡ଼ିସେମ୍ବର ୪ତାରିଖ ସକାଳ ୫ଟା ରେ ଦ୍ଵାର ଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସହିତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ତେବେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଗୋପାଳ ବଲ୍ଲଭ ଭୋଗ ସକାଳୁ ହେବ ନାହିଁ । ବେଶ ସହିତ ମହାପ୍ରଭୁଙ୍କ ଅନ୍ୟ ନୀତି ରହିବ । ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପାଳ ବଲ୍ଲଭ ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ସାଢେ଼ ଦଶଟା ରୁ ୧୧ ଟା ଭିତରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିବେ । ଶ୍ରୀମନ୍ଦିର ଭିତର ଗୁମୁଟକୁ କୌଣସି ସେବାୟତ ଯିବେ ନାହିଁ । ବିଭିନ୍ନ ଯାଗାରେ ଯେଉଁ ସେବାୟତ ମାନେ ରହୁଥିଲେ ସେମାନେ ରହି ପାରିବେନାହିଁ । ଶ୍ରୀମନ୍ଦିର ଭିତରେ ଅଧିକ ପ୍ରତିହାରୀ ସେବକଙ୍କୁ ରଖାଯିବ । ସେମାନେ ଶ୍ରୀ ମନ୍ଦିର ଭିତରକୁ କୌଣସି ସେବାୟତଙ୍କୁ ଛାଡିବେ ନାହିଁ । ଗର୍ଭଗୃହ ଭିତରେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ନେଇ ଆମକୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯଦି କିଛି ନିର୍ଦ୍ଦେଶ ଆସେ ଆମେ ମହାପ୍ରସାଦ ବ୍ୟବସ୍ଥା କରିବୁ । ମହାମହିମ ରାଷ୍ଟ୍ରପତି ଦର୍ଶନ କରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଛଡାଯିବ । ସକାଳ ୮ ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ । ଭକ୍ତ ମାନଙ୍କୁ ଆଉ ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ଲଗାଯିବ ।’

Navy Day Celebration preparation (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details