ଓଡିଶା

odisha

ETV Bharat / state

ପାଣି ନଦେବାରୁ ସ୍ତ୍ରୀକୁ ହତ୍ୟା ମାମଲା, ଆଜୀବନ ଜେଲ୍ ଗଲା ପତ୍ନହନ୍ତା - Man sentenced to life imprisonment

Man sentenced to life imprisonment for killing wife: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ମାମଲାରେ ସ୍ବାମୀକୁ ଆଜୀବନ ଜେଲ୍ ପଠାଇଲେ କୋର୍ଟ । ୨୦୧୮ରେ କଳାହାଣ୍ଡି ଜିଲ୍ଲା ଡାହାଣୀ ପଦର ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Mar 30, 2024, 7:13 AM IST

Updated : Mar 30, 2024, 11:12 AM IST

ଭବାନୀପାଟଣା: ସ୍ତ୍ରୀକୁ ନୃଶଂସ ଭାବେ ପିଟି ପିଟି ହତ୍ୟା କରିବା ମାମଲାରେ ସ୍ବାମୀକୁ ଜେଲ୍ । ପତ୍ନୀହନ୍ତାକୁ ଆଜୀବନ ଜେଲ୍ ପଠାଇଲେ ଅଦାଲତ । ୬ ବର୍ଷ ପୂର୍ବେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡାହାଣୀ ପଦର ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ପାଣି ଦେବାରେ ଟିକେ ଡେରି କରିବାରୁ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲା ସ୍ବାମୀ । କଳାହାଣ୍ଡି ଜିଲ୍ଲା ଦୌରାଜଜ ଏବେ ଏହି ମାମଲାର ଶୁଣାଣି କରି ହତ୍ୟାକାରୀ ସ୍ବାମୀକୁ ଆଜୀବନ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ହୋଇଛି ।

ସୂଚନା ଅନୁଯାୟୀ, ୨୦୧୮ ମସିହା ଅକ୍ଟୋବର ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସେଦିନ ଡାହାଣୀ ପଦର ଗାଁର କାନ୍ଦ୍ରା ମାଝୀ ବିଳମ୍ବିତ ରାତିରେ ଘରକୁ ଆସି ସ୍ତ୍ରୀକୁ ପାଣି ମାଗିଥିଲା । ସେହି ସମୟରେ ସ୍ତ୍ରୀ ଆଦ୍ରାଣୀ ମାଝୀ ଶୋଇଥିଲେ । ନିଦରେ ଥିବାରୁ ପାଣି ଦେବାରେ ଟିକିଏ ବିଳମ୍ବ ହୋଇଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ କାନ୍ଦ୍ରା ଶୋଇବା ଖଟ କଡ଼ରେ ଥିବା ଏକ ଠେଙ୍ଗାରେ ଅତି ନିର୍ଦ୍ଦୟ ଭାବେ ନିଜ ସ୍ତ୍ରୀର ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ଆଦ୍ରାଣୀ ମାଝୀଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଜେଲ ଗଲେ ଭଣ୍ଡ ବାବା, ଗୁଣିଗାରେଡ଼ି ନାଁରେ ଲଗାଉଥିଲେ ଚୂନା - Fraud Baba Arrested

ଏହା ମଧ୍ୟ ପଢନ୍ତୁ: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ପଡୋଶୀ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପତ୍ନହନ୍ତା ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଦୀପ୍ତି ରଞ୍ଜନ କାନୁନଙ୍ଗୋ କାନ୍ଦ୍ରା ମାଝୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପିପି ନିଦର୍ଶିନୀ ରଥ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 30, 2024, 11:12 AM IST

ABOUT THE AUTHOR

...view details