ଭଦ୍ରକ:ନବୀନ ଓଡ଼ିଶା ବ୍ୟାଗକୁ ନେଇ ବିବାଦ ବଢିବାରେ ଲାଗିଛି । 5T ଲୋଗୋ ଏବଂ ଆମ ଓଡିଶା, ନବୀନ ଓଡ଼ିଶା ଲେଖାଥିବା ବ୍ୟାଗକୁ ପୋଡ଼ିଲେ ହିତାଧିକାରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଏପରି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖାଲି ବ୍ୟାଗ ଦିଆଯାଉଥିବାରୁ ଏହି ଝୋଟ ବ୍ୟାଗକୁ ପୋଡି ଦେଇଛନ୍ତି ହିତାଧିକାରୀ । ମାଗଣାରେ ହିତାଧିକାରୀଙ୍କୁ ବ୍ୟାଗ ମିଳିଥିଲେ ହେଁ 'ଆମ ଓଡିଶା, ନବୀନ ଓଡିଶା' ଲେଖାଥିବା ବ୍ୟାଗ ପସନ୍ଦ ନୁହଁ ବୋଲି ଅଭିଯୋଗ କରିଛନ୍ତି ।
ଏନେଇ ଜଣେ ହିତାଧିକାରୀ ଅଭିଯୋଗ କରି କହିଛନ୍ତି, "ଗରିବ ଲୋକମାନଙ୍କୁ କେନ୍ଦ୍ର ସରକାର ମାଗଣାରେ ରାସନ ଚାଉଳ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ବିଜେଡିର ପ୍ରଚାର କରିବା ଲାଗି ଏପରି 5T ଲୋଗୋ ଥିବା ବ୍ୟାଗ ଦେଉଛନ୍ତି । ରାଜ୍ୟର ବେକାର ଯୁବକ ଯୁବତୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେବେ ସେହି ବ୍ୟାଗଗୁଡିକରେ ଯଦି ଦାଦନମାନେ କପଡାପତ୍ର ନେଇ ଯାଆନ୍ତି କାହାର ସମ୍ମାନ ହାନି ହେବ । କେବଳ ସେତିକି ନୁହେଁ ଉକ୍ତ ବ୍ୟାଗରେ ଶଙ୍ଖ ଚିହ୍ନ ମଧ୍ୟ ରହିଛି । ସାଧାରଣ ଲୋକଟିଏ ହେଉ ଅଥବା ଅନ୍ୟ ଦଳର ହେଉ, ସେମାନେ କ'ଣ ପାଇଁ ବିଜେଡିର ଗୁଣଗାନ ପୂର୍ବକ ବ୍ୟାଗ୍କୁ ବ୍ୟବହାର କରିବେ ?"
ଏହା ମଧ୍ୟ ପଢନ୍ତୁ: ମାଲକାନଗିରିରେ ନବୀନ ଓଡ଼ିଶା ବ୍ୟାଗ ଜାଳିଲା ବିଜେପି