ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । 4 ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ସପତ୍ନୀକ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଜଧାନୀ ଭୁବନେଶ୍ବର ଓ କୋଣାର୍କରେ ତାଙ୍କର ରହଣୀର ବ୍ୟବସ୍ଥା ହୋଇଛି ।
- ଭୁବନେଶ୍ବରରୁ ସିଧା ଯିବେ କୋଣାର୍କ
ଜୟଶଙ୍କର କାଲି (ସୋମବାର) ଅପରାହ୍ନରେ ନୂଆଦିଲ୍ଲୀରୁ ବାହାରି ସନ୍ଧ୍ୟା ସୁଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ । ଏହା ପରେ ଭୁବନେଶ୍ୱରରୁ ସିଧାସଳଖ ସଡ଼କ ପଥରେ କୋଣାର୍କ ଯିବେ କେନ୍ଦ୍ରମନ୍ତ୍ରୀ । କୋଣାର୍କ ଇକୋ-ରିଟ୍ରିଟରେ ସେ ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ବାହାରିବେ କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁନାଥପୁର ଯିବେ ମନ୍ତ୍ରୀ । ସେଠାରୁ ଅପରାହ୍ନରେ ଧଉଳି ଆଭିମୁଖ୍ୟ ଆସିବେ କେନ୍ଦ୍ରମନ୍ତ୍ରୀ ।
- ଧଉଳିଗିରି ଓ ଲିଙ୍ଗରାଜଙ୍କୁ କରିବେ ଦର୍ଶନ
କେନ୍ଦ୍ରମନ୍ତ୍ରୀ ଶାନ୍ତିସ୍ତୁପରୁ ଫେରି ମହାଦେବ ଲିଙ୍ଗରାଜଙ୍କ ଦର୍ଶନ ଲାଗି ଏକାମ୍ର କ୍ଷେତ୍ର ଯିବେ । ଦର୍ଶନ ପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରାତ୍ରିଯାପନ କରିବେ । 8 ଓ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ । ବୈଦେଶିକ ବ୍ୟାପାର ମନ୍ତ୍ରୀ 10 ତାରିଖ ସକାଳେ ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । କୋଣାର୍କ ଓ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ରହିଣୀ ଲାଗି ସମସ୍ତ ବ୍ୟବସ୍ଥା ହୋଇଛି ।
ଏହା ମଧ୍ୟ ପଢନ୍ତୁ:- ଆଦିବାସୀ ମେଳା ଆରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ପ୍ରବାସୀ ଭାରତୀୟ ଦିବସ: ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଶୃଙ୍ଖଳା ପାଇଁ ପ୍ରସ୍ତୁତି ଜୋରଦାର |
- ଆସୁଛନ୍ତି ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ ଓ ଅନ୍ତର୍ଜାତୀୟ ଅତିଥି
‘ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଭୁବନେଶ୍ବରରେ ପହଞ୍ଚିବେ ।
ଇଟିଭି ଭାରତ, ଭୁବନେଶ୍ବର