ଭୁବନେଶ୍ବର: ପୁଣି ଥରେ ବଦଳିବ ମହାରାଷ୍ଟ୍ର ବାଘୁଣୀ ଜୀନତର ଠିକଣା । ଜୀନତ ପାଇଁ ପ୍ରସ୍ତୁତ ହେଉଛି ୮-୯ ହେକ୍ଟରର ବଡ ଏନକ୍ଲୋଜର । ଏନେଇ ସୂଚନା ଦେଇଛନ୍ତି PCCF ପ୍ରେମ କୁମାର ଝା ।
ବଦଳିବ ଜୀନତର ଠିକଣା:
ଶିମିଳିପାଳ ଫେରିବା ପରେ ସଫ୍ଟ ଏନକ୍ଲୋଜରରେ ବୁଲୁଛି ମରାଠା ବାଘୁଣୀ ଜୀନତ । ଜୀନତକୁ ଯମୁନା ରହୁଥିବା ଏନକ୍ଲୋଜର ଭିତରେ ହିଁ ଛଡାଯାଇଛି । କିନ୍ତୁ ଆଗକୁ ଜୀନତ ପାଇଁ ନୂଆ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଜୀନତର ଖୁବଶୀଘ୍ର ଠିକଣା ବଦଳିବ । ଜୀନତକୁ ୧ ହେକ୍ଟର ବିଶିଷ୍ଟ ସଫ୍ଟ ଏନକ୍ଲୋଜ ବଦଳରେ ୮-୯ ହେକ୍ଟର ବିଶିଷ୍ଟ ଏକ ବଡ ଏନକ୍ଲୋଜରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଏପଟେ ଜଙ୍ଗଲକୁ ନେଇ କିପରି ଭାବରେ ସୁରକ୍ଷା ଦିଆଯିବ ସେନେଇ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ପିସିସିଏଫ ସୂଚନା ଦେଇଛନ୍ତି ।
PCCF Prem Kumar Jha (ETV Bharat Odisha) ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, "ଜୀନତ ଏବେ ଶିମିଳିପାଳରେ ୧ ହେକ୍ଟର ବିଶିଷ୍ଟ ସଫ୍ଟ ଏନକ୍ଲୋଜରରେ ରହିଛି । ତାକୁ ଏକ ବଡ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ସଫ୍ଟ ଏନକ୍ଲୋଜରକୁ ଲାଗି ଏକ ୮-୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଇଛି । ଏହାପରେ ତା'ର ବ୍ୟବହାରରେ ପରିବର୍ତ୍ତନ ଆସିଲେ ତାକୁ ଜଙ୍ଗଲ ମଧ୍ୟକୁ ଛଡ଼ାଯିବାର ପଦକ୍ଷେପ ନିଆଯିବ । ସବୁ ସମୟରେ ଜୀନତର ଗତିବିଧି ଉପରେ ବନ ବିଭାଗ ମନିଟର କରୁଛି । NTCA ଟିମ ଆସି ଜୀନତର ଗତିବିଧିର ସମୀକ୍ଷା କରି ରିପୋର୍ଟ ଦେଇଛନ୍ତି । ଯମୁନା ଏବେ କୁଲଡ଼ିହା ଜଙ୍ଗଲରେ ହିଁ ରହିଛି ।"
ବନ ବିଭାଗକୁ ନାକେଦମ୍ କରିଥିଲା ଜୀନତ:
ବାଘୁଣୀ ଜୀନତ ଓଡ଼ିଶା ଛାଡି ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ସୀମାକୁ ପକାଇଥିଲା । ୩ ରାଜ୍ୟର ବନବିଭାଗର ମିଳିତ ଉଦ୍ୟମରେ ବାଘୁଣୀକୁ ଟ୍ରାକ କରାଯାଇଥିଲା । ବାଘୁଣୀକୁ କାବୁ କରିବା ପାଇଁ ବନ ବିଭାଗକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଯେପରିକି ଜଙ୍ଗଲ ମଧ୍ୟରେ GPS ନେଟୱର୍କ ନମିଳିବା, ବାଘୁଣୀ ତାର ନିଜର ଟେରିଟୋରି ଗଠନ ସନ୍ଧାନରେ ଗୋଟିଏ ପରେ ଗୋଟିଏ ଜଙ୍ଗଲ ବୁଲିବା ଆଦି ଦେଖାଯାଇଥିଲା । ଶେଷରେ ବାଘୁଣୀକୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ବର୍ତ୍ତମାନ ବାଘୁଣୀ ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିଛି ।
ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଥିଲା ଦ୍ବିତୀୟ ବାଘୁଣୀ ଜୀନତ:
ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ଦ୍ଵିତୀୟ ବାଘୁଣୀ ହେଉଛି ବାଘୁଣୀ ଜୀନତ । ୨୦୨୪ ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଜୀନତକୁ ଅଣାଯାଇଥିଲା। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା। ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ ଜୀନତ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଏହି ବାଘୁଣୀ ଶିମିଳିପାଳରେ ବାରହା ଶିକାର ମଧ୍ୟ କରିଥିଲା । ହେଲେ କିଛି ଦିନ ପୂର୍ବରୁ ବାଘୁଣୀ ଜୀନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ଝାଡ଼ଖଣ୍ଡର ଏକ ଜଙ୍ଗଲରେ ବାଘୁଣୀ ଜୀନତକୁ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ବାଘୁଣୀ ପଶ୍ଚିମବଙ୍ଗର ଏକ ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବନ ବିଭାଗର ମିଳିତ ଉଦ୍ୟମରେ ବାଘୁଣୀକୁ କାବୁ କରାଯାଇଥିଲା ।
ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:
ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ୨୦୨୪ ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା । କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ପାଖ କୁଲଡିହା ଜଙ୍ଗଲରେ ରହିଛି ଯମୁନା । ବର୍ତ୍ତମାନସୁଦ୍ଧା ବାଘୁଣୀ ଯମୁନା କୁଲଡ଼ିହା ଜଙ୍ଗଲରେ ହିଁ ରହିଛି ।
ଦୁଇ ରାଜ୍ୟ ବୁଲିଲା ଜୀନତ:
ଗତ ୨୦୨୪ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜୀନତ ଝାଡ଼ଖଣ୍ଡ ଯାଇଥିଲା। ସେଠାରେ କିଛି ଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ୨୦୨୪ ଡିସେମ୍ବର ୨୯ ତାରିଖ ଜୀନତକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଥିଲା । ଜୀନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣିଆ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିର ଲୋଭ ଦେଖାଇଥିଲା ବନବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଥିଲେ ।
ଶିମିଳିପାଳରେ ୨ ବର୍ଷରେ ୩ ମୃତ୍ୟୁ:
୨୦୨୩ ଏପ୍ରିଲ ୩୦ ତାରିଖରେ ଦୁଇଟି ବାଘ ମଧ୍ୟରେ ଲଢେଇ କାରଣରୁ ଗୋଟିଏ ମହାବଳ ବାଘର ମୃତ୍ୟୁ ଘଟିଥିଲା। ୨୦୨୪ ଫେବ୍ରୁଆରୀ ୬ ରେ ଲିଭର ସଂକ୍ରମଣ ଯୋଗୁଁ ଗୋଟିଏ ମହାବଳ ବାଘର ମୃତ୍ୟୁ ମଧ୍ୟ ହୋଇଥିଲା । ୨୦୨୪ ଶେଷ ଆଡକୁ ଶିକାରୀଙ୍କ ଶିକାର ହୋଇଥିଲା କଳା ବାଘ ଶାବକ ।
ଶିମିଳିପାଳରେ ଲାଗିଛି ଶତାଧିକ କ୍ୟାମେରା:
"ଶିମିଳିପାଳରେ ୧୦୦ଟି AI କ୍ୟାମେରା ଓ ୧୦୦ ଟି AR କ୍ୟାମେରା, ୮୫୦ ଟ୍ରାପ କ୍ୟାମେରା ଲାଗିଛି। ପାଖାପାଖି ୧୦୦ ରୁ ଅଧିକ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କ ସହ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ବନ୍ଧୁକ ମଧ୍ୟ ଜବତ କରିଛନ୍ତି ବନ ବିଭାଗ । ଆଗାମୀ ଦିନରେ ଶିମିଳିପାଳ ସୁରକ୍ଷା ପାଇଁ ଆଉ ୧୫୦ କ୍ୟାମେରା ଲାଗିବା ନେଇ ମଧ୍ୟ ଯୋଜୋନା କରାଯାଉଛି" ବୋଲି କହିଛନ୍ତି PCCF ପ୍ରେମ କୁମାର ଝା ।
ରାଜ୍ୟରେ ବାଘ ସଂଖ୍ୟା କେତେ?
ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଛନ୍ତି । ସେଥି ମଧ୍ୟରୁ ଶିମିଳିପାଳରେ ୨୭ ଟି ମହାବଳ ବାଘ ସହ ୮ ଶାବକ ଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର