ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ । ହଷ୍ଟେଲରେ ମହିଳା ବକ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଲେଡି ବକ୍ସରଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ବଡଗଡ ଥାନା ଗୌତମ ନଗରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣେ ବକ୍ସର ହୋଇଥିବା ବେଳେ ତାଙ୍କର ନାମ ସରୋଜିନୀ ସୁନ୍ଦରା ଏବଂ ଘର ପୁରୀ ଡେଲାଙ୍ଗ ଅଞ୍ଚଳରେ । ତେବେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଆଇଆଇସି କହିଛନ୍ତି ।
ମିଳିଥିବ ସୂଚନା ଅନୁସାରେ, ଗୌତମ ନଗର ହରିହର ବିଦ୍ୟାପୀଠ ସାମ୍ନାରେ ଥିବା ଏକ ହଷ୍ଟେଲରୁ ସରୋଜିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ସପ୍ତାହେ ଧରି କିଛି ସହକର୍ମୀଙ୍କ ସହିତ ଉକ୍ତ ହଷ୍ଟେଲରେ ରହୁଥିଲେ । ତେବେ ଗତକାଲି(ସୋମବାର) ତାଙ୍କର ଝୁଲନ୍ତା ମୃତଦେହ ଦେଖି ସହକର୍ମୀମାନେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ । ରାଜ୍ୟ ସ୍ତରର ବକ୍ସି ପ୍ରତିଯୋଗୀଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଏନେଇ ପରିବାର ଲୋକେ ଆମେ କିଛି ଜାଣି ନଥିବା କହିଥିବା ବେଳେ ପୋଲିସ ଏ ଦିଗରେ ତଦନ୍ତ କଲେ ଜଣାପଡିବ ବୋଲି କହିଛନ୍ତି । ସେପଟେ ସପରିବାର ଲୋକଙ୍କୁ ଭେଟିଛନ୍ତି ପୁରୀ ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ। ସେ କହିଛନ୍ତି, "ଏହା ଏକ ଦୁଃଖଦ ଘଟଣା ଯେ, ରାଜ୍ୟ ସ୍ତରୀୟ ଖେଳାଳୀଙ୍କର ଏଭଳି ମୃତ୍ୟୁ ହୋଇଛି । ତେଣୁ ସମସ୍ତ ଦିଗକୁ ନେଇ ତଦନ୍ତ ହେବା କଥା ।ଏହା ଏକ ଉଚ୍ଚ ସ୍ତରର ଘଟଣା ତେଣୁ ଆଶା ରହୁଛି ପୋଲିସ ସବୁ ଦିଗରେ ସମସ୍ତ ଆଧାର କରି ତଦନ୍ତ କରିବ ।"