କଟକ: ନାବାଳକକୁ ହତ୍ୟା ମାମଲାରେ ଜେଲରେ 17 ବର୍ଷ ଧରି ସଜା କାଟିବା ପରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ଗତ 2007, ଫେବୃଆରୀ 17ରୁ ଜେଲରେ ସଜା କାଟୁଥିବା ବେଳେ ଗତକାଲି ହାଇକୋର୍ଟ ରାୟ ଶୁଣାଇ କେନ୍ଦୁଝର ଥାନା ଅଞ୍ଚଳର ସମରା ମହାକୁଡ଼କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସମରାଙ୍କୁ ଆଜୀବନ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରି କେନ୍ଦୁଝର ଦୌରା ଜଜ୍ 2008, ଫେବୃଆରୀ 20ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ସମରାଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରୁ ମୁକ୍ତ କରିଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସମରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ସାଢେ 16 ବର୍ଷ ପରେ ସମରା ଜେଲରୁ ମୁକ୍ତ ହେବାର ବାଟ ଫିଟିଛି ।
କାହିଁକି ୧୬ ବର୍ଷ ଜେଲରେ ଥିଲେ ସମରା ?
ଗତ ୨୦୦୭, ଫେବୃଆରୀ ୧୩ ତାରିଖ ସନ୍ଧ୍ୟା ୪ଟା ସମୟରେ ଜଣେ ୭ ବର୍ଷ ବାଳକକୁ କେନ୍ଦୁ ତୋଳିବାକୁ ଡାକି ନେଇ ସମରା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପରିବାର ଲୋକେ ସମରା ମହାକୁଡ଼କୁ ପଚାରିବାକୁ ସେଏକା ଯାଇଥିବା କହିଥିଲା । ପରେ ଗ୍ରାମବାସୀ ଖୋଜାଖୋଜି କରି ଦୁଇ କିଲୋମିଟର ଦୂର ସିଆନାଳ ଜଙ୍ଗଲରେ ବାଳକର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ମୃତ ବାଳକର ପରିବାର ସୁଆକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ ।
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କେନ୍ଦୁଝର ଦୌରାଜଜ୍:
ଏହାପରେ ପୋଲିସ କେନ୍ଦୁଝର ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହିତ ୨୦୦୭, ଫେବୃଆରୀ ୧୭ ତାରିଖରେ ସମରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ପୋଲିସ ତଦନ୍ତ ବେଳେ ଜବତ କରିଥିଲା । କେନ୍ଦୁଝର ଦୌରାଜଜ୍ ମାମଲାର ଶୁଣାଣୀ କରି ୨୦୦୮, ଫେବୃଆରୀ ୨୦ ତାରିଖରେ ରାୟ ପ୍ରକାଶ କରିଥିଲେ । ଅଦାଲତ ଆଇପିସିର ଦଫା ୩୦୨, ୩୬୪ ଓ ୨୦୧ରେ ସମରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ ।