ଭବାନୀପଟଣା:ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୫' । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟର ମହାକୁମ୍ଭ ଭାବେ ପରିଚିତ କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୫' ଦୀର୍ଘ ଚାରିଦିନ ଧରି ଆୟୋଜିତ ହେବା ପରେ ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ସଂଧ୍ୟାରେ ଦର୍ଶକମାନେ ବିଭିନ୍ନ ଷ୍ଟଲ ବୁଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଯାଦୁରେ ଝୁମିଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ସମ୍ମାନୀତ ଅତିଥି ଭାବେ ରାଜ୍ଯସଭା ସାଂସଦ ସୁଜିତ୍ କୁମାର, ସାଂସଦ ମାଳବିକା ଦେବୀ ଏବଂ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।
- 'ଘୁମୁରା-୨୦୨୫'
ରେଣ୍ଡୋ ମାଝୀ ମଞ୍ଚରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବୀରବାଦ୍ୟ ଘୁମୁରା ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ସମ୍ବଲପୁରୀ, ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ, ମହାରାଷ୍ଟ୍ରର ଲାବନ୍ୟା ନୃତ୍ୟ, ହରିଆଣାର ଫାକ ନୃତ୍ୟ, ରାଜସ୍ଥାନର ମାନିହାର ଓ କାଲବେରିଆ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ସେପଟେ ଧର୍ମଗଡରେ ମଧ୍ୟ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ଗତ ୧୫ ତାରିଖଠୁ ଏହା ଆରମ୍ଭ ହୋଇଛି ।
- କଳାହାଣ୍ଡି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ :
ସଭ୍ୟତାର ବିକାଶକ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମନୋରଞ୍ଜନକୁ ମାଧ୍ୟମ କରିଛି । ସମୟ କ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତ ବାଦ୍ୟ ଆଦି ଯୋଡ଼ି ହୋଇଯାଇଛି । ଯାହା ଅଧିକ ଜନାଦୃତ ମଧ୍ୟ ହୋଇଛି । ପରବର୍ତ୍ତୀ ସମୟରେ ତାହା ଲୋକକଳା ରୂପେ ଖ୍ୟାତି ଲାଭ କରିଛି । କାଳକ୍ରମେ ମନୁଷ୍ୟର ଚଳଣି ବଦଳିଲା । ତା’ ସହ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଲା । ସମୟରେ ତାଳରେ ମଣିଷ ଧିରେ ଧିରେ ସେ ସୃଷ୍ଟି କରିଥିବା ଲୋକକଳାକୁ ଭୁଲିବାକୁ ଲାଗିଲା । ସେହି ଭୁଲିଯାଉଥିବା ଲୋକକଳାକୁ ପୁଣି ଥରେ ମାନସପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ହିଁ ଏହି କଳାହାଣ୍ଡି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।