ଓଡିଶା

odisha

ETV Bharat / state

ଏନସିସି କ୍ୟାଡେଟଙ୍କୁ ‘ଜୁନିୟର ରକ୍ଷକ’ ମାନ୍ୟତା - Junior Rakshak - JUNIOR RAKSHAK

Junior Rakshak: ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଉଦଘାଟିତ । ଏନସିସି ସିନିୟର ଓ୍ୱିଙ୍ଗର 176 ଜଣଙ୍କୁ ଜୁନିୟର ରକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Junior Rakshak
Junior Rakshak (ETV BHARAT ODISHA)

By ETV Bharat Odisha Team

Published : May 19, 2024, 8:40 AM IST

ଭୁବନେଶ୍ବର: ପୁରୀରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟଙ୍କୁ ପରିବହନ ବିଭାଗରୁ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯାଇଛି । ଗତକାଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ସିନିୟର ଓ୍ୱିଙ୍ଗର 575 ଜଣ କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ 176 ଜଣଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ଦ୍ୱିତୀୟ ଦିନରେ ଆଉ 399 ଜଣଙ୍କ ପ୍ରଶିକ୍ଷଣ ଦିଆଯାଇ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯିବ ।

Junior Rakshak (ETV BHARAT ODISHA)

ଏହି ଶିବିରରେ ଏନିସିସି କ୍ୟାଡେଟମାନଙ୍କୁ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ମାଷ୍ଟର ଟ୍ରେନର ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭ୍ରଜିତ ନାୟକ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ କିଭଳି ପ୍ରାଥମିକ ଚିକିତ୍ସା ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଛି । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ଭଳି ଦାୟିତ୍ୱ ନିର୍ବାହ କରିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶାରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ ।

ଏହା ମଧ୍ୟ ପଢନ୍ତୁ-ସଡକ ସୁରକ୍ଷାର ବାର୍ତ୍ତା ଦେବେ ‘ଜୁନିଅର ରକ୍ଷକ'
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ କରାଯାଉଛି । ଗତ ମାର୍ଚ୍ଚ 6ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସାରା ରାଜ୍ୟରେ 32 ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି ।

କାର୍ଯ୍ୟକ୍ରମରେ ପରିବହନ କମିସନର କହିଛନ୍ତି ଯେ, ଜଗତର ରକ୍ଷକ ଶ୍ରୀଜଗନ୍ନାଥଙ୍କ ପବିତ୍ର ପୁରୀ ଧାମରେ ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ସଡ଼କ ଦୁର୍ଘଟଣା ଓ ଏ ସଂପର୍କିତ ମୃତ୍ୟୁ ସଂଖ୍ୟା ହ୍ରାସ ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ । ଅନେକ ଲୋକଙ୍କ ଭିତରେ ଧାରଣା ରହିଛି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ପରେ ହଇରାଣ ହେବାକୁ ହୁଏ । ଏହା ସଂପୂର୍ଣ୍ଣ ଭୁଲ କଥା । ସାହାଯ୍ୟ ବଦଳରେ ହଇରାଣ ହେବାକୁ ହେବନି ବରଂ ଆପଣମାନଙ୍କୁ ସମ୍ମାନ ମିଳିବ । ଯଦି ଆପଣ କୌଣସି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ହସ୍ପିଟାଲ ନେଉଛନ୍ତି, ଆପଣଙ୍କୁ ବିଭାଗ ତରଫରୁ ଗୁଡ ସମ୍ମରିଟାନ ସମ୍ମାନ ସହ ଦୁଇ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

କାର୍ଯ୍ୟକ୍ରମରେ ଅତିରିକ୍ତ ପରିବହନ କମିସନର (ଆଡମିନ) ଇନ୍ଦ୍ରମଣି ନାୟକ, ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ, ଅତିରିକ୍ତ ପରିବହନ କମିସନର (ବୈଷୟିକ) ଦୀପ୍ତିରଞ୍ଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ, ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏନସିସି କମାଣ୍ଡିଂ ଅଫିସର ସୁଦୀପ ସିହ୍ନା ଯୋଗ ଦେଇଥିଲେ । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ 3ଟି ସେସନରେ ପ୍ରଶିକ୍ଷଣ ଦିଆଯାଉଛି । ଏହା ସହ ସଡ଼କ ସୁରକ୍ଷା ସଚେତନତା ସଂପର୍କରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ଓ କୁଇଜ ପ୍ରତିଯୋଗିତା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details