ଭୁବନେଶ୍ୱର: ସଫଳତାର ସହ ଶେଷ ହୋଇଛି ଭୁବନେଶ୍ଵରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ୭ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ସାମିଲ ହୋଇ ଓଡ଼ିଶାର ଆତିଥ୍ୟ, ସଂସ୍କୃତିର ସ୍ବାଦ ଚାଖିଥିଲେ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶାରେ ଥିବା ପୁଞ୍ଜିନିବେଶ ସମ୍ଭାବନା ଓ ସୁଯୋଗକୁ ପ୍ରଦର୍ଶିତ କରାଯାଇଛି ।
ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବାକୁ ନିୟୋଜିତ ହେବେ ନୋଡାଲ ଅଫିସର:
ଏହି ଅବସରରେ ବୈଦେଶିକ ସଚିବ ଅରୁଣ ଚାଟାର୍ଜୀ କହିଛନ୍ତି, "ଏହା ଓଡ଼ିଶାର କଳା, ସଂସ୍କୃତିକୁ ପ୍ରବାସୀ ଭାରତୀୟଙ୍କୁ ପ୍ରଦର୍ଶିତ କରିବାର ସୁଯୋଗ ଦେଇଥିଲା । ପ୍ରବାସୀ ଭାରତୀୟମାନେ ପୁରୀ, କୋଣାର୍କ ଓ ଚିଲିକା ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିଥିଲେ । ଓଡ଼ିଶାରେ ନିବେଶ ପାଇଁ ଚାହୁଁଥିବା ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବାକୁ ସଂସ୍କୃତି ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ନିୟୋଜିତ ହେବେ । ୩ ଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ବେଳେ ରାଷ୍ଟ୍ରପତି ଉଦଯାପନ ଉତ୍ସବର ମୁଖ୍ୟ ଅତିଥି ଥିଲେ । ୩ ଦିନ ଭିତରେ ୭ଟି ଅଧିବେଶନରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ପୁଞ୍ଜିନିବେଶ, ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଉପରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ପ୍ରବାସୀ ଭାରତୀୟ ଦିବସରେ ସାଢ଼େ ୭ ହଜାରରୁ ଅଧିକ ପଞ୍ଜିକରଣ କରିଥିଲେ ।"
Emigrate ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ:
ଏହି ଅବସରରେ ଜଣେ ପ୍ରବାସୀ ଭାରତୀୟ କରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ପ୍ରବାସୀ ଭାରତୀୟ ହେଉ ବା ଏକ୍ସ ସର୍ଭିସମ୍ୟାନ୍ ସେମାନେ ବାହାରେ ରହୁଥିବା କାରଣରୁ ସେମାନଙ୍କର ଜମି ହଡ଼ପ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଏଭଳି ଘଟଣା ଗୁଡ଼ିକର ବିଚାର ପାଇଁ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ଵ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ସେହିପରି ଓଡ଼ିଶାରୁ ଯାଇ ବିଦେଶରେ କାମ କରୁଥିବା ବ୍ଲୁ କଲାର ୱାର୍କରଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯିବ ।"
ଅନ୍ୟପଟେ emigrate ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରି ବାହାର ଦେଶକୁ ଯିବାକୁ ଆହ୍ୱାନ ଦେଲା ବୈଦେଶିକ ବ୍ୟାପାର ବିଭାଗ ।
3ଦିନ ଧରି ଚାଲିଥିଲା ପ୍ରବାସୀ ଭାରତୀୟ ସମ୍ମିଳନୀ:
ରାଜଧାନୀ ଭୁବନେଶ୍ବରରେ ଚାଲିଥିଲା 3 ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଯାହାକି ଆଜି ଉଦଯାପିତ ହୋଇଛି । ଗତ ଜାନୁଆରୁ 8ରୁ ଜାନୁଆରୀ 10 ପର୍ଯ୍ୟନ୍ତ ଚାଲିଥିବା ଏହି 18 ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ 7 ହଜାରରୁ ଅଧିକ ପ୍ରବାସୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିବା ବେଳେ ଉଦଯାପନୀରେ ସାମିଲ ହୋଇଥିଲେ ମହାମହିମ ରାଷ୍ଟ୍ରପତି । ଏହି ଅବସରରେ 27 ଜଣ ପ୍ରବାସୀଙ୍କ ସମ୍ମାନିତ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର