ଭୁବନେଶ୍ୱର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗ ଆଣି CBIର ଦ୍ୱାରସ୍ଥ ହେଲା ଜଗନ୍ନାଥ ସେନା । ସଂଗଠନ ପକ୍ଷରୁ ଭୁବନେଶ୍ୱର CBI ଅଫିସରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଘଟଣାର ତଦନ୍ତ ଦାବି ହୋଇଛି । ଲୋକଙ୍କ ଟଙ୍କାରେ ପ୍ରକଳ୍ପ ନିର୍ମାଣ ଆଳରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ପ୍ରିୟଦର୍ଶନ କହିଛନ୍ତି, "ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣରେ ୧୪ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କେବଳ ଶୌଚାଳୟ ନିର୍ମାଣ, ବାହାରବେଢା ଓ ଶ୍ରୀସେତୁ ନିର୍ମାଣ କରି ୪୨ଶହ କୋଟି ଖର୍ଚ୍ଚ କରାଯାଇଛି ଯାହକି ଏକ ବଡ଼ ଧରଣର ଦୁର୍ନୀତି । ଏହି ଦୁର୍ନୀତିରେ କିଛି ନିର୍ଦ୍ଦିଷ୍ଟ ଲୋକ ସାମିଲ ଅଛନ୍ତି । ଏପରିକି କେନ୍ଦ୍ର ସରକାରଙ୍କର ୭୦ ପ୍ରତିଶତ ଟଙ୍କା ଏହି ଜରିଆରେ ହରିଲୁଟ ହୋଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରଟିଆଇରେ ଯେଉଁ ତଥ୍ୟ ମଗାଯାଇଥିଲା ତାହା ସାଙ୍ଘାତିକ । ଗରିବ ଲୋକଙ୍କ ଟ୍ୟାକ୍ସ ପଇସାରେ ଏପରି ପ୍ରକଳ୍ପ ନିର୍ମାଣ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କର ମଧ୍ୟ ୭୦ ପ୍ରତିଶତ ଟଙ୍କା ରହିଛି । ଜଗନ୍ନାଥଙ୍କ ନାଁରେ ଏମାନେ କିପରି ଦୁର୍ନୀତି କରିଛନ୍ତି ତାହା ସାମ୍ନାକୁ ଆସୁ । ସିବିଆଇ ଏହାର ତଦନ୍ତ କରୁ । ଯଦି ସତ୍ ସାହାସ ଅଛି ରାଜ୍ୟ ସରକାର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲନ୍ତୁ । ଯିଏ ଜଗନ୍ନାଥଙ୍କ ସହ ଖେଳ ଖେଳିଛି ତାଙ୍କୁ ଜେଲରେ ପୁରାଇବା ପାଇଁ ଜଗନ୍ନାଥ ସେନା ଲଢେଇ ଜାରି ରଖିବ ।