ଭୁବନେଶ୍ବର:ଆଜି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହା ଦେଶର ୧୭ ତମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଗତ ବର୍ଷ ସ୍ଥାପିତ ଏହି ବିଶ୍ବବିଦ୍ୟାଳୟ ଆଜି ଏକ ବର୍ଷ ପୂରଣ କରିଛି । ବିଶ୍ବବିଦ୍ୟାଳୟର ଏହି ବର୍ଷକ ମଧ୍ୟରେ କାର୍ଯ୍ୟ ଅଗ୍ରଗତି ବାସ୍ତବରେ ପ୍ରଶଂସନୀୟ ରହିଛି ।
ବିଶ୍ବବିଦ୍ୟାଳୟ ଗୁଣାତ୍ମକ ସ୍ବାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ବ ଦେଇ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ଜଳବାୟୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ସମେତ ରାଜ୍ୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନକୁ ମୁକାବିଲା କରିବା ଦିଗରେ ଏହି ବିଶ୍ବବିଦ୍ୟାଳୟ ନିୟାମକ ଭାବେ କାର୍ଯ୍ୟ କରୁ ବୋଲି କହିଛନ୍ତି । ଏପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବିଭିନ୍ନ ଆହ୍ବାନ ସତ୍ତ୍ବେ ବିଶ୍ବବିଦ୍ୟାଳୟର ଅନେକ କାର୍ଯ୍ୟ କରାଯାଇପାରିଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର କମିଶନର -ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସମ୍ମିଳିତ ପ୍ରୟାସରେ ଏହି ବିଶ୍ବବିଦ୍ୟାଳୟ ଜରିଆରେ ବହୁମୁଖୀ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମ କରାଯିବା ସଂପର୍କରେ ଗୁରୁତ୍ବାରୋପ କହିଛନ୍ତି ।