ରାଉରକେଲା: କଳାହାଣ୍ଡି କପ ଲାଗି ରାଉରକେଲା କ୍ରିକେଟ ଦଳ ଚୟନରେ ଅନିୟମିତତା ଅଭିଯୋଗ । କ୍ରିକେଟ ଦଳ ଚୟନକୁ ନେଇ ରାଜନୀତି କରଣ କରାଯାଉଥିବା ଅଭିଯୋଗ । ଆଣିଛନ୍ତି ପୂର୍ବତନ ଓଡିଶା ରଣଜୀ କ୍ୟାପଟେନ ନଟରାଜ ବେହେରା ଓ ରାଉରକେଲା ସହରର ବିଭିନ୍ନ କ୍ରିକେଟ କ୍ଳବର ଖେଳାଳି । ପ୍ରତିଭା ଚିହ୍ନଟରେ ପାତର ଅନ୍ତର ନହେଉ ବୋଲି କହିଛନ୍ତି ନଟରାଜ । ସହରରେ ବହୁ କ୍ଲବ ଅଛି, କେବଳ ନିର୍ଦ୍ଦିଷ୍ଟ କ୍ଲବ ପିଲାଙ୍କୁ ସୁଯୋଗ ମିଳିବା ଅର୍ଥ ଆମ ପ୍ରତି ଅବିଚାର କରାଯିବା । ଏଭଳି ମନୋବୃତ୍ତି ଜାରି ରହିଲେ ଆମେ ଖେଳ ଛାଡ଼ିଦେବୁ, ଆଉ ବ୍ୟାଟ୍ ଧରିବୁ ନାହିଁ ଏଭଳି କିଛି ଚରମବାଣୀ ଶୁଣାଇଛନ୍ତି ରାଉରକେଲାର ବିଭିନ୍ନ କ୍ଲବରେ କ୍ରିକେଟ ଅଭ୍ୟାସ କରୁଥିବା ବହୁ କ୍ରିକେଟର ।
କଳାହାଣ୍ଡି କପ୍ କ୍ରିକେଟ ତଥା ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ କୌଣସି କ୍ରିକେଟ ପ୍ରତିଯୋଗିତା ପାଇଁ ରାଉରକେଲା ସହରର କେତେକ କ୍ଲବର କ୍ରିକେଟ ପ୍ରତିଭାଙ୍କୁ ଜାଣିଶୁଣି ଚୟନ କରାଯାଉନାହିଁ । ଚୟନ କରାଯିବା ତ ଦୂରର କଥା ଅଭ୍ୟାସ ଶିବିରକୁ ମଧ୍ୟ ଡକାଯାଉ ନ ଥିବା ଅଭିଯୋଗ କରିଛନ୍ତି ନଟରାଜ ବେହେରା । ଫଳରେ ରାଉରକେଲା ଭଳି ସହରରେ ବହୁ ଅଭିଜ୍ଞ କ୍ରିକେଟର ସୁଯୋଗ ଅଭାବରୁ ନିଜ ପ୍ରତିଭା ଦେଖାଇପାରୁନାହାନ୍ତି । କେବଳ କ୍ଲବରେ ଅଭ୍ୟାସ କରିବା ହିଁ ସେମାନଙ୍କ ସାର ହୋଇଥିବାବେଳେ କ୍ରିକେଟକୁ ନେଇ ଭବିଷ୍ୟତ ଆଶା ସେମାନଙ୍କର ମଉଳିଯାଉଛି । ଏଭଳି ଅଭିଯୋଗ କରି ଶନିବାର ରାଉରକେଲା ଇସ୍ପାତ କାରଖାନା CGMଙ୍କୁ ସାକ୍ଷାତ କରିଥିଲେ ।