ଭଦ୍ରକ/ଯାଜପୁର:ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ ।ଗୁଳିମାଡ଼଼ରେ ଭାଙ୍ଗିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ନିକଟସ୍ଥ କିଛି ଦୂରରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ଯାଜପୁର ରୋଡ ରେଳ ଷ୍ଟେସନରେ ସୂଚନା ଦେଇଛନ୍ତି ଗାର୍ଡ ମହେନ୍ଦ୍ର କୁମାର ବେହେରା । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ରେଳ ଷ୍ଟେସନର 119 ନମ୍ବର ଗେଟ ନିକଟରେ ହୋଇଛି ଗୁଳିମାଡ଼ ।
ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼:
ସୂଚନା ଅନୁଯାୟୀ, ଆଜି ସକାଳ 9ଟା 15 ମିନିଟ ସମୟରେ ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ପୁରୀ ଅଭିମୁଖେ ଯାଉଥିଲା । ହଠାତ୍ ଷ୍ଟେସନର କିଛି ଦୂରର କୌଣସି ଦୁର୍ବୃତ୍ତ ଟ୍ରେନ ଉପରକୁ ଗୁଳିମାଡ଼ କରିଥିଲା । ତେବେ ଏହି ଗୁଳିମାଡ଼ ଫଳରେ ଟ୍ରେନର ଝରକା ଭାଙ୍ଗି ଯାଇଥିବାବେଳେ ଟ୍ରେନର ଗାର୍ଡ ସୁରକ୍ଷିତ ଥିବା ଯାଜପୁର ରୋଡ ଜିଆରପି ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ସେପଟେ ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳି ମାଡ଼ କଲା,ତାହାର ଅସ୍ପଷ୍ଟ ରହିଛି । ଏନେଇ ଅଧିକ ତଦନ୍ତ କରୁଛି ଜିଆରପି ।