ଜଗତସିଂହପୁର: ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ଜଗତସିଂହପୁର ଜିଲ୍ଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି । ମିଲର ନ ଆସିବାରୁ ନିର୍ଦ୍ଧାରିତ ସମୟରେ ମଣ୍ଡିରେ ଧାନ ନ ଦିଆଯାଇଥିବା ବେଳେ ୨ ଦିନ ହେଲା ଶୀତ କାକରରେ ନିଜ ଧାନକୁ ଜଗି ବସିଛି ଚାଷୀ । ଏହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅସନ୍ତୁଷ୍ଟ ପ୍ରକାଶ କରାଯାଇଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ଦାବି ହୋଇଛି ।
ଜଗତସିଂହପୁରରେ ମଣ୍ଡି ଅବ୍ୟବସ୍ଥା:
ଏନେଇ ନବ ନିର୍ମାଣ କୃଷକ ସଂଗଠନର ଜଗତସିଂହପୁର ଜିଲ୍ଲା ସଂଯୋଜକ ଅଶୋକ ସ୍ବାଇଁ କହିଛନ୍ତି," ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଚାଷୀମାନଙ୍କଠାରୁ ସମସ୍ତ ବଳକା ଧାନ କିଣିବା ସହିତ କୁଇଣ୍ଟାଲ ପିଛା ୮୦୦ ସହ ଟଙ୍କା ବୋନସ ଦେଇ ଚାଷୀଙ୍କୁ ୩୧ଶହ ଟଙ୍କାର ସହାୟକ ଦିଆଯିବା ଉଚିତ୍ । କିନ୍ତୁ ଜଗତସିଂହପୁର ଜିଲ୍ଲାରେ ତାହାର ବ୍ୟତିକ୍ରମ ଦେଖାଯିବା ସହ ଏ ପର୍ଯ୍ୟନ୍ତ ସଠିକ ଭାବେ ଧାନ ସଂଗ୍ରହ କରାଯାଇ ନାହିଁ ।"
'ଅଭିଯୋଗ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ'
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଜଗତସିଂହପୁର ଜିଲ୍ଲାରେ ଧାନ ସଂଗ୍ରହକୁ ନେଇ ଅନିୟମିତତା ଦେଖାଯିବା ଫଳରେ ୨୧ ନଭେମ୍ବର ୨୦୨୪ରେ ଧାନ ସଂଗ୍ରହ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିଲା । ଧାନ ସଂଗ୍ରହ କ୍ଷେତ୍ରରେ ଉପୁଜିଥିବା ଅନିୟମିତତାକୁ ନେଇ ୭ଦଫା ସମ୍ବଳିତ ପତ୍ର ଦିଆଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ କରାଯାଇନାହିଁ ।
ମିଲର ଆସୁନଥିବାରୁ ମଣ୍ଡିରେ ପଡିରହିଛି ଧାନ:
ଜଗତସିଂହପୁର ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟାଳୟ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ ନାଉଗାଁ ବ୍ଲକ ତରଜଙ୍ଗା ପଞ୍ଚାୟତର ଚାଷୀ ଶୁଭେନ୍ଦୁ କୁମାର ପଣ୍ଡା କହିଛନ୍ତି," ନାଉଗାଁରେ ଯେଉଁ ମଣ୍ଡି ଖୋଲା ଯାଇଛି ସେଠାରେ ନିର୍ଦ୍ଧାରିତ ସମୟରେ ଧାନ ଆଣିବା ପାଇଁ କୁହାଯାଇଥିଲା । କିନ୍ତୁ ଦୁଇଦିନ ହେଲା ଧାନ ମଣ୍ଡିରେ ପଡିରହିଛି । ପ୍ରାୟ ୧୧ଶହ ବସ୍ତା ଧାନ ମଣ୍ଡିରେ ପଡି ରହିଛି । ମିଲରକୁ ଦୁଇଦିନ ଅପେକ୍ଷା କରି ଚାଷୀ ବସି ରହିଥିଲେ ମଧ୍ୟ ମିଲରଙ୍କ ଗାଡି ଆସୁନାହିଁ କି ଧାନ ସଂଗ୍ରହ କରାଯାଉନାହିଁ । ୨ ଦିନ ହେଲା ଖରା ଶୀତରେ ଧାନକୁ ଜଗି ବସିଛୁ ।"