ଭୁବନେଶ୍ବର: ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ମଧ୍ୟକୁ ପ୍ଲାଷ୍ଟିକ ମନା । ଉଲ୍ଲଘଂନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର। ଏନେଇ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏହି କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହାର ଉଲଂଘନ କରନ୍ତି, ତେବେ ଦୃଢ଼ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ। ରାଜ୍ୟରେ ଥିବା ଅଭୟାରଣ୍ୟ, ନ୍ୟାସନାଲ ପାର୍କ ଏବଂ ଟାଇଗର ରିଜର୍ଭ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ପ୍ରବେଶ ନିଷେଧ କରାଯାଇଛି। ଏପ୍ରିଲ 1 ତାରିଖରୁ ସଂରକ୍ଷିତ ଅଞ୍ଚଳ ଭିତରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ବିକଳ୍ପ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ଦିଆଯାଇଛି।
ପ୍ରବେଶ ପଏଣ୍ଟରେ ଫେରସ୍ତଯୋଗ୍ୟ ପ୍ଲାଷ୍ଟିକ ପାଣି ବୋତଲ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକରେ ଖାଦ୍ୟ ସାମଗ୍ରୀ ବହନ କରୁଥିବା ପର୍ଯ୍ୟଟକମାନଙ୍କୁ ସଂରକ୍ଷିତ ଅଞ୍ଚଳରେ ଅଳିଆ ଆବର୍ଜନା ନପକାଇବାକୁ ପରାମର୍ଶ ଦେବା ସହ ସଚେତନତା କରାଯିବ। ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ଅଭୟାରଣ୍ୟ ପ୍ଲାଷ୍ଟିକ ସାମଗ୍ରୀ ପ୍ରବେଶ ନକରିବାକୁ ପ୍ରୟାସ କରାଯାଇଥିଲା। ତାହା ଆଂଶିକ ଭାବରେ ସଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇନଥିଲା। ରାଜ୍ୟର ବିରଳ ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ଅଭିନବ ପ୍ରୟାସ କରାଯାଇଛି। ଗତବର୍ଷ ଡିସେମ୍ବର ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।