ଭୁବନେଶ୍ବର:ଆସୁଛି ଗଣେଶ ପୂଜା । ଜମିବ ବାଜା-ବାଣର ଆସର । ହେଲେ ବିନା ଡିଜେ ସାଉଣ୍ଡରେ ଫିକା ପଡିବ ପୂଜାର ଆସର । କାରଣ ଏଥର ଭସାଣିରେ ଡିଜେ ନବଜାଇବାକୁ କଡା ନିର୍ଦ୍ଦେଶ ଦେଇଛି ପୋଲିସ । ଏହାକୁ ନେଇ ଡିଜେ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସିଜନ୍ ବେପାର ସମୟରେ ପୋଲିସ ଏହି ନିଷ୍ପତ୍ତିକୁ ବିରୋଧ କରି କମିଶନରେଟ ପୋଲିସ ମୁଖ୍ୟାଳୟ ଘେରାଉ କରିଛି ଭୁବନେଶ୍ବର ଡିଜେ ମାଲିକ ସଂଘ । ନିଷ୍ପତ୍ତି ସମ୍ପର୍କରେ ପୁନଃବିଚାର କରାନଗଲେ ପୂଜାରେ ପେଣ୍ଡାଲ ଓ ମେଲୋଡିରେ ବି ସାମିଲ ହେବେନାହିଁ ବୋଲି କହିଛନ୍ତି ବିରୋଧ ପ୍ରଦର୍ଶନକାରୀ ।
ଏନେଇ ‘ସାଉଣ୍ଡ ଆଣ୍ଡ ଲାଇଟ୍’ ମାଲିକ ଆସୋସିଏସନ ସମ୍ପାଦକ ଜଗଦୀଶ ଚନ୍ଦ୍ର ମହାରଣା କହିଛନ୍ତି,'' ଆମେ ଏଭଳି ବନ୍ଦ ନିଷ୍ପତ୍ତି ନେଇ ଡିସିପି ଅଫିସରେ ସକାଳ ୧୦ଟାରେ ଠିଆ ହୋଇଥିଲୁ । ଆମେ ଧାରଣା ଦେଇନଥିଲୁ କି ପ୍ରତିବାଦ କରିନଥିଲୁ । ଆମେ ଯାଇଥିଲୁ ସାରଙ୍କୁ ସହ ଆଲୋଚନା କରିବାକୁ । ଭସାଣ ସମୟରେ କାହିଁକି ଡିଜେ ବାଜିବ ନାହିଁ ତାହା ପଚାରିବାକୁ । ହେଲେ ସେ କହିଲେ ପେଣ୍ଡାଲରେ ବାଜିବ ମେଲୋଡିରେ ବାଜିବ, ମାତ୍ର ଭସାଣରେ ଡିଜେ ବାଜିବ ନାହିଁ । ଏହାପରେ ଆମେ କହିଥିଲୁ ସମସ୍ତଙ୍କ ଲାଇସେନ୍ସ ବାତିଲ କରନ୍ତୁ । ଡିଜେ ନବାଜିଲେ ଆମର ରୋଜଗାର କିପରି ହେବ । ''
ପୂର୍ବରୁ ମଧ୍ୟ ଦାବି ଜଣାଇଥିଲେ:
ଏନେଇ ପୂର୍ବରୁ ପୋଲିସ କମିଶନରଙ୍କୁ ଭେଟି ଦାବି ଜଣାଇଥିଲେ ଡିଜେ ମାଲିକମାନେ। ଆଗକୁ ଏ ବିଷୟରେ ଆଲୋଚନା ଓ ନିଷ୍ପତ୍ତି ନେବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ପାଳନ କଲେନାହିଁ । ତେଣୁ ନିଷ୍ପତ୍ତିକୁ ପୁନଃବିଚାର କରାଯାଉ ବୋଲି ଡିଜେ ମାଲିକ ସଂଘ ଦାବି କରିଛନ୍ତି ।