ପୁରୀ:ଆଜି ନବବର୍ଷ-2025 ଅବସରରେ ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହିକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ଜନସମୁଦ୍ରରେ ପରିଣତ ହୋଇଛି ବଡଦାଣ୍ଡ । ସ୍ଥିତି ଏପରି ହୋଇଛି ଯେ, ଠେଲାପେଲା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ଼ ଭାଙ୍ଗି ଦେଇଛନ୍ତି ଶ୍ରଦ୍ଧାଳୁ । କିଛି ଶ୍ରଦ୍ଧାଳୁ ତଳେ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ୍ ସେମାନଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନି ।
- ଜନସମୁଦ୍ର ବଡଦାଣ୍ଡ:
ଆଜି ପ୍ରାୟ ମଧ୍ୟରାତ୍ରରୁ ବଡଦାଣ୍ଡରେ ଶ୍ରଦ୍ଧାଳୁ ଭିଡ ଆରମ୍ଭ ହୋଇଥିଲା । ଚାରିଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରମନ୍ଦିରରେ ପ୍ରବେଶ କରି ଦର୍ଶନ କରୁଥିଲେ । ତେବେ ବଡଦାଣ୍ଡରେ ମାର୍କେଟ ଛକଠୁ ସିଂହଦ୍ବାର ସମ୍ମୁଖ ପର୍ଯ୍ୟନ୍ତ ହୋଇଥିବା ଅସ୍ଥାୟୀ ବାରିକେଡ ମଧ୍ୟରେ ପ୍ରବଳ ଭିଡ ହୋଇଥିଲା । ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ଼ରେ କେବଳ ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କୁ ଯିବା ପାଇଁ ଅନୁମତି ଥିବା ବେଳେ ଶ୍ରଦ୍ଧାଳୁମାନେ ସେହି ବାଟ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଦଳଚକଟା ପରି ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଶ୍ରଦ୍ଧାଳୁ ତଳେ ପଡି ମଧ୍ୟ ଯାଇଥିଲେ । ମାତ୍ର କେହି ଆହତ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଏପରି ସ୍ଥିତି ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ କର୍ମଚାରୀଙ୍କ ଦାୟିତ୍ବହୀନ ମନୋଭାବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
- ବର୍ଷ ଶେଷ ସପ୍ତାହରୁ ଲାଗିଛି ଭିଡ:-
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦାୟୀ ବର୍ଷ ଶେଷ ସପ୍ତାହରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ପେଲାଠେଲା ଯୋଗୁ 10ରୁ ଅଧିକ ଭକ୍ତ ଆହତ ହୋଇଥିଲେ । 31 ଡିସେମ୍ବର ଓ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ, ଜିଲ୍ଲା ଓ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିଲେ । ଦର୍ଶନ ପାଇଁ ବାରିକେଡିଂ, ଟ୍ରାଫିକ ଓ ପାର୍କିଂ ଗାଇଡଲାଇନ ଆଦି ଚୂଡାନ୍ତ ହୋଇଥିଲା । ତଥାପି ଏପରି ସ୍ଥିତି ସୃଷ୍ଟି ହେବା ପରେ ପୋଲିସର ଭୂମିକାକୁ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- |