ଭୁବନେଶ୍ବର: ବାତ୍ୟା ‘ଦାନା’ର ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ SRC ଅଫିସରେ ଲ୍ୟାଣ୍ଡଫଲ ସମୟ ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଅଛନ୍ତି।
CYCLONE 'DANA' UPDATES: ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚୁଛି ‘ଦାନା’
Published : Oct 24, 2024, 7:15 AM IST
|Updated : Oct 25, 2024, 5:58 AM IST
ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇଥିବା ବାତ୍ୟା ‘ଦାନା’ର ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ । ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଓ ପବନ। ଘଣ୍ଟା ପ୍ରତି ପବନର ବେଗ 100ରୁ 120 କିଲୋମିଟର ନେଇ ସୂଚନା। ଭୋର ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରବର୍ତ୍ତୀ 6 ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
LIVE FEED
ବାତ୍ୟା ଲ୍ୟାଣ୍ଡଫଲ ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ
ପ୍ରସ୍ତୁତ ହେଲାଣି ରିଲିଫ ସାମଗ୍ରୀ, ରେଡ୍ କ୍ରସ ଭବନରେ ଚାଲିଛି ପ୍ୟାକିଂ
ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବ ଖାଦ୍ୟ ପୁଡିଆ। ରେଡକ୍ରସ ଭବନରେ ଚାଲିଛି ପ୍ୟାକିଂ। ବାତ୍ୟା ପରେ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବ ରେଡକ୍ରସ। ୨୦୦୦ ହଜାର ପୁଡିଆ ପ୍ରସ୍ତୁତ କରାଯାଇଛି। ଭଲ୍ୟୁଣ୍ଟରଙ୍କ ଜରିଆରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ପ୍ୟାକିଂ । ଯେଉଁଥିରେ ରହିଛି ଚୁଡ଼ା, ଚିନି ,ବିସ୍କୁଟ ସମେତ ପାଣି ବୋତଲ ଓ ମହମବତି, ଦିଆସିଲ ଓ ଛତୁଆ ପ୍ୟାକେଟ।
ବାତ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟାର ସ୍ଥିତି ଓ ପ୍ରସ୍ତୁତି ନେଇ ଟେଲିଫୋନରେ କଥା ହୋଇଛନ୍ତି ୩ ନେତା । ଓଡିଶାର ପ୍ରସ୍ତୁତି ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରସ୍ତୁତି ବିଷୟରେ ଶୁଣିବା ପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କଟକରେ କଳାବଜାରୀ ଅଭିଯୋଗ, ମାଲଗୋଦାମରେ ପହଞ୍ଚି ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ
କଟକ: ମାଲଗୋଦାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ। ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ କଟକ ମାଲଗୋଦାମରେ ଚଢ଼ାଉ କରିଛି ରାଜ୍ୟ ଯୋଗାଣ ବିଭାଗ। ବିଭିନ୍ନ ଗୋଦାମକୁ ଯାଞ୍ଚ କରିବା ସହ ନୋଟିସ ମଧ୍ୟ କରାଯାଇଛି। ମନ୍ତ୍ରୀ କହିଛନ୍ତି, "କିଛି ଅଭିଯୋଗ ଆସିଥିଲା। ସେଥିପାଇଁ ନିଜେ ନିରୀକ୍ଷଣ କଲି। ଟିକେ ଅଧିକ ଦାମ ରେ ବିକ୍ରି ହେଉଥିଲା, ସେଥିପାଇଁ ଷ୍ଟକ ଯାଞ୍ଚ କରାଯାଇଛି। ଚୁଡା , ଡାଲି , ତେଲ ସାମଗ୍ରୀ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ପ୍ରଥମରୁ କୁହାଯାଇଛି କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁର୍ବିପାକ ସମୟରେ ଲୋକଙ୍କୁ ହଇରାଣ କରନ୍ତୁ ନାହିଁ।"
ରାତି 10ଟାରେ SRC କାର୍ଯ୍ୟାଳୟରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମଧ୍ୟ ରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ଦାନା'। ଆଜି ରାତି 10ଟାରେ SRC କାର୍ଯ୍ୟାଳୟରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଘଣ୍ଟା ସେଠାରେ ରହିବେ ମୁଖ୍ୟମନ୍ତ୍ରୀ। ଏହାସହ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ। ସାରା ରାତି ମନ୍ତ୍ରୀ ସୁରେଶ ପୂଜାରୀ ସେଠାରେ ରହିବା ନେଇ ସୂଚନା ରହିଛି।
ରେସ୍କ୍ୟୁ ଅପରେସନବେଳେ ବ୍ୟବହାର ହେବ କମନ ନେଟୱାର୍କ: ମୁକେଶ ମହାଲିଙ୍ଗ
ଭୁବନେଶ୍ବର: ବାତ୍ୟା ମୁକାବିଲାବେଳେ ନେଟୱାର୍କ ସମସ୍ୟାକୁ ନେଇ ଯେପରି ବାଧା ନଉପୁଜେ ସେଥିପାଇଁ ଟେଲିକମ କମ୍ପାନୀ ସହ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, "ରେସ୍କ୍ୟୁ ଅପରେସନବେଳେ କମନ ନେଟୱାର୍କ ବ୍ୟବହାର ହେବ। ସମସ୍ତ ଟାୱାରରେ ଡିଜି ସେଟ୍ କରାଯାଇଛି ।"
ନିମାପଡ଼ାରେ ଭୁଶୁଡ଼ିଲା କାନ୍ଥ, ଜଣେ ଗୁରୁତର
ନିମାପଡ଼ାରେ ବାତ୍ଯା 'ଦାନା'ର ପ୍ରଭାବ। କାନ୍ଥ ପଡି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତୁହାକୁ ତୁହା ବର୍ଷା ଓ ହାଲୁକା ପବନ ଲାଗି ରହିଛି। ନିମାପଡ଼ା ପୌରପରିଷଦ 1 ନମ୍ବର ୱାର୍ଡ ପାଟପୁର ଅଞ୍ଚଳରେ ଘର କାନ୍ଥ ଭୁଶୁଡି ପଡିବାରୁ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ଶରୀର ଓ ମୁଣ୍ଡରେ ଆଘାତ ଲାଗିଛି । ପ୍ରଥମେ ତାଙ୍କୁ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମାଡ଼ି ଆସୁଛି ଭୀଷଣ ବାତ୍ୟା, ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି
କେନ୍ଦ୍ରାପଡା ଜିଲ୍ଲାରେ ସନ୍ଧ୍ୟା 5ଟା ସୁଦ୍ଧା 62ହଜାର 931 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଲେ ଆପାଦକାଳୀନ ଅଧିକାରୀ ଅଶୋକ କୁମାର ଦାସ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ 450 ବାତ୍ୟା ଆଶ୍ରୟସ୍ଥଳୀରେ 34 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଅଣାଯାଇଥିବା ଜଣାପଡ଼ିଛି। ରାଇରଙ୍ଗପୁରରେ ଉପଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିବାବେଳେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଯାଜପୁରରେ ଅପରାହ୍ନ ସୁଦ୍ଧା 22 ହଜାର 216 ଲୋକଙ୍କୁ 614 ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି କଟକର ଆଠଗଡ଼, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଏବଂ ସାଲେପୁରରେ କଚା ଘରୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି ରହିଛି । କଟକ ଗ୍ରାମାଞ୍ଚଳ ଏସପି ନିଜେ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବା ସହ ବାତ୍ୟା ଆଶ୍ରୟ ସ୍ଥଳକୁ ନେଉଛନ୍ତି। ବୃଦ୍ଧା ଛୋଟ ଛୋଟ ଶିଶୁ ଏବଂ ଗର୍ଭବତୀଙ୍କୁ ପୋଲିସ ସହାୟତାରେ ନିଆଯାଉଛି।
ଓଡ଼ିଶାକୁ ଆହୁରି ପାଖେଇଲା ବାତ୍ୟା, 'ଦୁର୍ବଳ ହେବନି' କହିଲେ ପାଣିପାଗ ନିର୍ଦ୍ଦେଶିକା
ଭୁବନେଶ୍ବର: ଓଡ଼ିଶାକୁ ଆହୁରି ପାଖେଇଲା ବାତ୍ୟା 'ଦାନା'। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, "ବାତ୍ୟା ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ। ଏହା ଭୀଷଣ ବାତ୍ୟା ହୋଇଥିବାବେଳେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ 100ରୁ 110 କିମ୍ବା 120 କିଲୋମିଟର ଛୁଇଁପାରେ । ସେହିପରି 'ଆଖି' ସୃଷ୍ଟି ହେବା ନେଇ ଏପର୍ଯ୍ୟନ୍ତ କୌଣସି ଆକଳନ ହୋଇନାହିଁ। ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ରାତିରେ ଆହୁରି ବଢିବ ବର୍ଷାର ପରିମାଣ।"
ଜଗତସିଂହପୁରରେ ବଢୁଛି ପବନର ବେଗ, ଗଛ ଭାଙ୍ଗି ରାସ୍ତା ଅବରୋଧ
ଜଗତସିଂହପୁର:ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ପରିମାଣ ବୃଦ୍ଧି ପାଇଛି। ପାରାଦ୍ବୀପ ମଧୁବନ ଅଞ୍ଚଳରେ ପ୍ରବଳ ପବନ ଯୋଗୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗର ତଳି ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲି ପତାକା ଲଗାଯିବା ସହିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମତ୍ସଜୀବୀମାନଙ୍କୁ ବାରଣ କରାଯିବା ସହିତ ସମୁଦ୍ର ମିତ୍ର ଓ ପୋଲିସ ମୁତୟନ ହୋଇଛନ୍ତି।
ଆବାସିକ ବିଦ୍ୟାଳୟରେ ଚାଲିଛି ପାଠପଢା, ହଷ୍ଟେଲରେ ସ୍ଥିତି ପରଖିଲେ DEO
ଖୋର୍ଦ୍ଧା: ବାତ୍ୟା ଭୟ ଭିତରେ ଚାଲିଛି ପାଠପଢା। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଆଜି ବିଭିନ୍ନ ଆବାସିକ ବିଦ୍ୟାଳୟର ଛାତ୍ରାବାସ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି । ଏହାସହ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି । ଏଠାରେ ରହୁଥିବା ପିଲାମାନଙ୍କର ସମ୍ଭାବ୍ୟ ବାତ୍ୟା ସମୟରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ହଷ୍ଟେଲ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ।
ବାତ୍ୟା ପ୍ରଭାବରେ ପ୍ରବଳ ପବନ, ଯାଜପୁରରେ ଭାଙ୍ଗିଲା ବଡ଼ ବଡ଼ ଗଛ
ଯାଜପୁର:ପ୍ରବଳ ପବନରେ ଭାଙ୍ଗିଲା ବିରାଟ ଗଛ। ଆଜି ସକାଳୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଡୁବୁରୀ ଛକ ଓ ବ୍ୟାସନଗର ପୌର ପରିଷଦ ୱାର୍ଡ ନମ୍ବର 5ରେ ବାତ୍ୟାର ପ୍ରଭାବରେ ପ୍ରବଳ ବେଗରେ ପବନ ବହୁଛି। ଫଳରେ ବିରାଟକାୟ ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସେପଟେ ଗଛ ଭାଙ୍ଗିବା ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ ମେସିନ ସାହାଯ୍ୟରେ କାଟି ରାସ୍ତା ସଫା କରିଥିବା ସୂଚନା ମିଳିଛି ।
ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କ ସହ ବାତ୍ୟା ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତ ହେବାକୁ ଥିବା 11 ଜିଲ୍ଲା ମଧ୍ୟରୁ 38 ବ୍ଲକ ଉପରେ ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । ମୋଟ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତର ହେବାର ନିଷ୍ପତ୍ତି ହୋଇଛି । 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା 'ଦାନା': ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡାରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ
'ଦାନା' ପ୍ରଭାବରେ କେନ୍ଦ୍ରାପଡାରେ ଲାଗି ରହିଛି ବର୍ଷା । ବାତ୍ୟା 'ଦାନା' ପ୍ରସ୍ତୁତିକୁ ନେଇ ବିଭିନ୍ନ ସ୍ଥାନରେ ନିୟୋଜିତ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ରାପଡାରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଆଜି 103 ଟ୍ରେନ ବାତିଲ
ବାତ୍ୟା 'ଦାନା' ପାଇଁ ଆଜି 103 ଟ୍ରେନ ବାତିଲ କରାଯାଇଛି । ଆସନ୍ତା 29 ପର୍ଯ୍ୟନ୍ତ ମୋଟ 203 ଟ୍ରେନ୍ ବାତିଲ । ଇଷ୍ଟ କୋଷ୍ଟ ଓ ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ୱେ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ବାତ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଆଜି ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିସି ଯୋଗେ ଜିଲ୍ଲାପାଳଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ପ୍ରସ୍ତୁତି ବିଷୟରେ ଜିଲ୍ଲାପାଳଙ୍କ ସହ କଥା ହେବେ ।
ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ 'ଦାନା'
ବାତ୍ୟା 'ଦାନା'କୁ ନେଇ ଆସିଲା ବଡ ଖବର । ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ 'ଦାନା' । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ।
ବାତ୍ୟା 'ଦାନା' ପ୍ରଭାବ: 7 ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା
ବାତ୍ୟା 'ଦାନା' ର ପ୍ରଭାବରେ ରାଜ୍ୟରେ 2 ଦିନ ଧରି ବର୍ଷା ଲାଗି ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହପୁର, କଟକ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଅନଗୋଳ, ବୌଦ୍ଧ କନ୍ଧମାଳ, ଗଞ୍ଜାମ, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
12 କିମି ବେଗରେ ଗତି କରୁଛି ‘ଦାନା’
ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’ । ଗତ 6 ଘଣ୍ଟାରେ 12 କିମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ 260 କିମି ଦୂରରେ ଘନିଭୂତ ହେଉଛି । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର 290 କିମି ଦୂରରେ ଅବସ୍ଥିତି । ସାଗର ଦ୍ବୀପରୁ 350 କିମି ଦୂରରେ ଘନିଭୂତ ହେଉଛି ବାତ୍ୟା ‘ଦାନା’ ।
ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ଯାଜପୁର ଜିଲ୍ଲାପାଳ
ବାତ୍ୟାକୁ ଦୃଷ୍ଟିରେ ପୁରା ପ୍ରସ୍ତୁତ ଯାଜପୁର ଜିଲ୍ଲା ପ୍ରଶାସନ । କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀର ଯାଞ୍ଚ କରିଛନ୍ତି ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ୀ । ବାତ୍ୟା ଯୋଗୁ ଯେମିତି କୌଣସି ଧନଜୀବନ ନଷ୍ଟ ନହେବ ତା’ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ କୌଣସି ଯେମିତି ଅସୁବିଧା ନହେବ ତା’ ଉପରେ ଅଧିକ ଗୁରୁତ୍ବ ଦେବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ
ବାତ୍ୟା ‘ଦାନା’ ପ୍ରଭାବରେ ଦୁଇ ଦିନ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ଆଜି ଓ ଆସନ୍ତାକାଲି ମନ୍ଦିର ବନ୍ଦ ନେଇ ପ୍ରତ୍ନତତ୍ତ୍ବ ବିଭାଗ ନିଷ୍ପତ୍ତି ନେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆାଇଛି ।
ବାତ୍ୟା ‘ଦାନା’ ପାଇଁ ୧୯୭ଟି ଟ୍ରେନ ବାତିଲ
ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଟ୍ରେନ ବାତିଲ କରାଯାଇଛି । ମୋଟ ୧୯୭ଟି ଟ୍ରେନ ବାତିଲ ନେଇ ପୂର୍ବତଟ ରେଳବାଇ (East Coast Railway) ପକ୍ଷରୁ ସୂଚନା ଜାରି କରାଯାଇଛି । ଅକ୍ଟୋବର ୨୩, ୨୪, ୨୫ ଓ ୨୬ ତାରିଖ ମଧ୍ୟରେ ମୋଟ ୧୯୭ ଟ୍ରେନ ବାତିଲ ହୋଇଛି । ଏହା ଭିତରୁ ୯୪ଟି ଅପ ଟ୍ରେନ ଏବଂ ୧୦୩ଟି ଡାଉନ ଟ୍ରେନ ରହିଛି ।
ବାତ୍ୟା ପାଇଁ ବନ୍ଦ ରହିବ ବିମାନ ସେବା
ବାତ୍ୟା 'ଦାନା' ପାଇଁ ବନ୍ଦ ରହିବ ଭୁବନେଶ୍ବର ବିମାନବନ୍ଦର । ଆଜି ଅପରାହ୍ନ 5ଟାରୁ ଆସନ୍ତାକାଲି ସକାଳ 9ଟା ଯାଏ ବନ୍ଦ ରହିବ । ବାତ୍ୟା ପ୍ରଭାବ ଯୋଗୁଁ ବିମାନ ଚଳାଚଳ ବାତିଲ କରାଯାଇଛି । ବ୍ୟାତା ପାଇଁ ବିଜୁ ପଟ୍ଟନାଯକ ଅନ୍ତର୍ଜାତୀୟ ବିମାନ ବନ୍ଦର ସେବା ବନ୍ଦ ରହିବ ।
ଧାମରା-ଭିତରକନିକାରେ ବର୍ଷା ଆରମ୍ଭ
ବାତ୍ୟା 'ଦାନା'ଲ୍ୟାଣ୍ଡଫଲ ପୂର୍ବରୁ ଭଦ୍ରକ ଧାମରା ଓ କେନ୍ଦ୍ରାପଡା ଭିତରକନିକାରେ ପ୍ରଭାବ । ଆରମ୍ଭ ହୋଇଗଲାଣି ବର୍ଷା, ପବନର ବେଗ ଧିରେ ଧିରେ ବଢ଼ୁଛି । ବାଲେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଗତ ରାତିରେ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି 'ଦାନା' ।
ମଧ୍ୟରାତ୍ରୀ-ସକାଳ ସମୟରେ ତାଣ୍ଡବ ରଚିବ ଦାନା
'ଦାନା' ଅଧିକ ଘନୀଭୂତ ହୋଇ ପୁରୀ ଓ ସାଗର ଆଇଲାଣ୍ଡ ହୋଇ ଆଜି ମଧ୍ୟରାତ୍ରୀ ଓ ଆସନ୍ତାକାଲି ସକାଳ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟାର ରୂପ ନେଇ ଏହା ଗତି କରିବା ସହ ପବନର ବେଗ 100 ରୁ 110 ପବନ ସହ 120 କିଲୋମିଟର ଝଟକା ପବନ ରହିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।