କଟକ: ନୂଆବର୍ଷରେ ରିଲିଜ ହେଲା ପ୍ରଥମ ଓଡ଼ିଆ ଫିଲ୍ମ 'ୱାଇଫ୍' । ସାରା ଓଡିଶାରେ ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି 'ୱାଇଫ' । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତା ଜୟଜିତ ଦାସଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କ ଯୋଡି ଚଳଚିତ୍ରକୁ ଆହୁରି ବଳିଷ୍ଠ କରିଥିବା ବେଳେ ଜଣେ ନାରୀର ବୈବାହିକ ଜୀବନ ଯନ୍ତ୍ରଣା କିଭଳି ଶାଶୁ ଘରର ଚାରି କାନ୍ଥରେ ଲୁଚିଯାଏ ଆଉ ସେ ତାର ଅଧିକାର ପାଇଁ କିଭଳି ଜୀବନ ସାରା ଲଢେଇ କରେ ତାହା ହିଁ ଚିତ୍ରିତ ହୋଇଛି । ତେବେ 'ୱାଇଫ୍' ର ପ୍ରିମିଅର ଶୋ' ଆଜି କଟକସ୍ଥିତ ସଙ୍ଗମ ସିନେମା ହଲରେ ହୋଇଥିବା ବେଳେ ଦର୍ଶକଙ୍କ ସମେତ ଫିଲ୍ମର ଷ୍ଟାରକାଷ୍ଟ ଫିଲ୍ମକୁ ଦେଖିଥିଲେ । ପ୍ରଥମ ଦିନରେ ଫିଲ୍ମ ଦର୍ଶକଙ୍କ ମନ ଛୁଇଁଥିବା ବେଳେ ପ୍ରଶଂସାର ସୁଅ ଛୁଟୁଛି ।
ପରଦାକୁ ଆସିଲା ଫିଲ୍ମ 'ୱାଇଫ୍'
ପ୍ରିମିଅର ଶୋ'ରେ ଅଭିନେତ୍ରୀ, କ୍ରି୍ଏଟିଭ ହେଡ଼ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ଜୟଜିତ୍ ଦାସଙ୍କ ସମେତ ଫିଲ୍ମ ଷ୍ଟାରକାଷ୍ଟ ଏବଂ ଟେକ୍ନିସିଆନ୍ସ, ସିନେ ସମୀକ୍ଷକ ଦର୍ଶକଙ୍କ ସହ ବସି ଫିଲ୍ମଟିକୁ ଦେଖିଥିଲେ । ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ଜମିଥିଲା । ଦର୍ଶକ 'ୱାଇଫ୍' ଦେଖି ଢେର୍ ପ୍ରଶଂସା କରିଛନ୍ତି । କହିରଖୁଛୁ କି, ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି ବବି ଇସଲାମ । ଫିଲ୍ମର ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ଏହାର ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ । କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ଟି ଗୀତ ଏହି ଫିଲ୍ମକୁ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଆସୁଛି ଏସବୁ ଓଡ଼ିଆ ଫିଲ୍ମ, ଧମାକା କରିବେ ବର୍ଷା ପ୍ରୟଦର୍ଶିନୀ-ସୂର୍ଯ୍ୟମୟୀ
'ୱାଇଫ' କାହାଣୀ
ଏହି ଫିଲ୍ମର ପ୍ରଯୋଜକଙ୍କ ମତରେ ଏହି ଫିଲ୍ମ ଜଣେ 'ୱାଇଫ୍' (ସ୍ତ୍ରୀ)ର ଅକୁହା କାହାଣୀର ମୁକସାକ୍ଷୀ । କେବଳ ଘରର ଚାରିକାନ୍ଥ ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ କେବଳ ଭଗବାନ । ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି । ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିଛି ଏହି ଫିଲ୍ମ । ଚଳଚ୍ଚିତ୍ରରେ ଭରପୁର ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ସାମାଜିକ ବାର୍ତ୍ତା ରହିଛି ।
ଇଟିଭି ଭାରତ, କଟକ