ପଥ ଉତ୍ସବରେ ଝୁମିଲା ସିଲଭରସିଟି - CUTTACK PATHA UTSAV
🎬 Watch Now: Feature Video
Published : Jan 5, 2025, 5:43 PM IST
କଟକ: ପଥ ଉତ୍ସବରେ ଝୁମିଲେ କଟକବାସୀ । ‘ପ୍ରବାସୀ ଭାରତୀୟ ଦିବସ’ ପାଳନ ପୂର୍ବରୁ କଟକରେ ଧୂମଧାମରେ ପାଳନ ହେଲା ପଥ ଉତ୍ସବ । ରାଜଧାନୀ ଭୁବନେଶ୍ୱର ସହ କଟକରେ ଶୀତୁଆ ସକାଳରେ ଏହି କାର୍ଯ୍ଯ୍ୟକ୍ରମର ଆନନ୍ଦ ନେଇଛନ୍ତି ସହରବାସୀ । ଉଭୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ମିଳିତ ଆନୁକୁଲ୍ୟରେ ଆଜି କଟକରେ ପଥ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ସକାଳ ୭.୩୦ ରୁ ୧୦.୩୦ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ କୁସ୍ତି,ତାଇକୋଣ୍ଡୋ, ଚିତ୍ରାଙ୍କନ, ନାଚ, ସ୍କେଟିଂ ଆଦି ବିଭିନ୍ନ ପ୍ରକାରର ଖେଳ ଓ ପ୍ରଦର୍ଶନୀ ଭିତରେ ମଜି ଯାଇଥିଲେ ଦର୍ଶକ ଓ ଅଂଶଗ୍ରହଣକାରୀ ।
- ଆୟୋଜିତ ହେଲା ବିଭିନ୍ନ କାର୍ଯ୍ୟକ୍ରମ:-
ଇଣ୍ଡୋର ଷ୍ଟାଡିୟମ ଠାରୁ ଆରମ୍ଭ କରି ବାରବାଟୀ ଦୁର୍ଗ ପର୍ଯ୍ୟନ୍ତ ଅନୁଷ୍ଠିତ ପଥ ଉତ୍ସବରେ ବିଭିନ୍ନ କଣ୍ଠଶିଳ୍ପୀ, ଛାତ୍ରଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ରକଳା ପ୍ରତିଯୋଗିତା, ଚାରା ବିକ୍ରୟ କେନ୍ଦ୍ର, ସ୍ବାସ୍ଥ୍ୟ ପରୀକ୍ଷା, ଏବଂ ପ୍ରସିଦ୍ଧ ବାଲୁକାଶିଳ୍ପୀଙ୍କ ଦ୍ଵାରା ବାଲୁକାକଳା ପ୍ରଦର୍ଶିତ କରାଯାଇଥିଲା । ସେହିଭଳି ଅପରାହ୍ନରେ ବାଲିଯାତ୍ରା ପଡିଆରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଉତ୍ସବ, ଗୁଡ଼ି ଉଡା ଉତ୍ସବ, କର୍ମଶଳା ଏବଂ କିନର ଓ ବସ୍ତିର ଶିଶୁଙ୍କ ଦ୍ଵାରା ଏକ ଫ୍ୟାସନ ସୋ’ ଅନୁଷ୍ଠିତ ହେବ । ଆସନ୍ତା ୮ ତାରିଖରୁ ,୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ର ପ୍ରଚାର ପ୍ରସାର ପାଇଁ ଏହା ବେଶ୍ ସହାୟକ ହେବ ବୋଲି କଟକ ସାଂସଦ ଓ ମେୟର ମତବ୍ୟକ୍ତ କରିଛନ୍ତି ।
ଏହି ତିନି ଦିନରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର, ନୌବାଣିଜ୍ୟ ସଂଗ୍ରହାଳୟ, ନ୍ୟାୟିକ ସଂଗ୍ରହାଳୟ, କଟକ ଚଣ୍ଡୀଙ୍କ ମନ୍ଦିର ଓ ସିଲଭର୍ ସିଟି ବୋଟ କ୍ଳବ୍ ଓ ଗ୍ରାମାଞ୍ଚଳର ଦୁଇଟି ସ୍ଥାନ ପ୍ରବାସୀ ଭାରତୀୟମାନେ ବୁଲି ଆସିବାର କାର୍ଯ୍ୟକ୍ରମ ରହିଛି । ମାଣିଆଵନ୍ଧର ପ୍ରସିଦ୍ଧ ତନ୍ତବୁଣା ଶାଢୀ ପ୍ରଦର୍ଶନୀ, ରୂପା ତାରକସି ହସ୍ତଶିଳ୍ପ ଓ କଟକ ଦହିଵରାର ସ୍ବତନ୍ତ୍ର ଷ୍ଟଲ ଖୋଲିଵ ବୋଲି ଜିଲ୍ଲାପାଳ କହିଛନ୍ତି ।
ଇଟିଭି ଭାରତ, କଟକ