ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ - SAMBALPUR LOK MAHOTSAV
🎬 Watch Now: Feature Video
Published : Jan 5, 2025, 4:45 PM IST
ସମ୍ବଲପୁର: ଆରମ୍ଭ ହୋଇଯାଇଛି ୨୭ ତମ ସମ୍ବଲପୁର ଲୋକ ମହୋତ୍ସବ । ଲୋକଗୀତର କାର୍ଯ୍ୟକ୍ରମରେ କମ୍ପିଲା ସମ୍ବଲପୁର ଜିଲ୍ଲା । ଫ୍ୟୁଜନ ନୃତ୍ୟ ପରିବେଷଣ କଲେ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀ । ମଞ୍ଚରେ ଆସାମର ବଡୋ, ପୁରୀର ଗୋଟିପୁଅ, ସିକ୍କିମର ନେପାଳୁ ନାଚ, ସମ୍ବଲପୁର ଉକିଆ ଅନୁଷ୍ଠାନର ପରଭା ନାଚ, ଆସାମର ବିହୁ, ମହାରାଷ୍ଟ୍ରର ଲାବଣୀ, ରାୟଗଡାର ଢେମସା ନୃତ୍ୟ,ଗୁଜୁରାଟର ସିଦ୍ଧିଧମାଲ ଓ ଶେଷରେ ଝାଡଖଣ୍ଡ ପୁରୁଲିଆର ଛଉ ନୃତ୍ୟ ପରିବେଶିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇ ଚିତ୍ରକଳା ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ । ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ମଞ୍ଚ ପୂଜା କରିବା ପରେ ଲୋକଗୀତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପଦ୍ମଲୋଚନ ଦାଶଙ୍କ ସଂଯୋଜନାରେ ଦିଲୀପ ବାଗ ମା’ସମଲେଇ ଜଗତ ଜନନୀ, ଶ୍ରୀଜା ଦାଶ ରତନ କୁମାର ପୂଜାରୀଙ୍କ ଲିଖିତ କୃଷ୍ଣଗୁରୁ ଭଜନ,ଅରୁଣ ରାଜହଂସ ନଚନିଆ ଗୀତ ପରିବେଷଣ କରିଥିଲେ । ଲୁପ୍ତପ୍ରାୟ ଲୋକବାଦ୍ୟ ଓ ଲୋକ ନୃତ୍ୟର ଉଦ୍ଧାର ଲକ୍ଷ୍ୟ ନେଇ ଶନିବାର ଆରମ୍ଭ ହୋଇଛି ୨୭ ତମ ସମ୍ବଲପୁର ଲୋକ ମହୋତ୍ସବ ।
ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ''କଳା ସଂସ୍କୃତି ଜାତି ଓ ଦେଶକୁ ଏକ କରେ । ଏହି କଳା ସଂସ୍କୃତି ହିଁ ଆମର ପୁଞ୍ଜି ଅଟେ ଯାହାକୁ ନେଇ ଆମେ ଆଗକୁ ବଢି ପାରିବା । '' ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଲୋକ ସଂସ୍କୃତିର ପେଣ୍ଠସ୍ଥଳୀ ସମ୍ବଲପୁର । ନାଚ, ଗୀତ, ନବାନ୍ନ, ଶୀତଳଷଷ୍ଠୀ ଯାତ୍ରା ହେଉ ସବୁଠି ଲୋକ ସଂସ୍କୃତିର ଛାପ ଅଛି । ସମ୍ବଲପୁର ଅଞ୍ଚଳର ସମସ୍ତ ଉତ୍ସବ ମହୋତ୍ସବ ଅଟେ। ଏଠାକାର ରଙ୍ଗବତୀର ବିକଳ୍ପ ନାହିଁ । ଏହା ଏହି ଅଞ୍ଚଳର ପରିଚୟ ବହନ କରେ । ଡବଲ ଇଞ୍ଜିନ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ବିକାଶକୁ ବହୁତ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସ୍ଥାନୀୟ ଲୋକଙ୍କୁ ନେଇ ପିଏଚଡି ପଡିଆର ବିକାଶ, ହୀରାକୁଦ ବନ୍ଧ ଓ କେନାଲର ମରାମତି କାର୍ଯ୍ୟ ସମେତ ରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନାର ସଫଳତା ଯୋଗୁଁ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ମୂଲ୍ୟର ବର୍ଦ୍ଧନ ଆଦି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ।
ଇଟିଭି ଭାରତ, ସମ୍ବଲପୁର