ଅନୁଗୋଳ: ଟମାଟୋ ଅଭାବୀ ବିକ୍ରିକୁ ଚାଷୀ ହତାଶ । କେଜି ପ୍ରତି ୨ରୁ ୩ ଟଙ୍କାରେ ବିକ୍ରି ହେଉଛି । ଉଚିତ ଦର ମିଳୁ ନଥିବାରୁ କ୍ଷେତରୁ ଟମାଟୋ ତୋଳିବାକୁ ଇଚ୍ଛା କରୁନାହାନ୍ତି ଚାଷୀ । ଫଳରେ ଏକର ଏକର ଜମିରେ ନଷ୍ଟ ହେଉଛି ଟମୋଟୋ ।
ଅନୁଗୋଳରେ ୪ ହଜାର ଏକର ଜମିରେ ଟମାଟୋ ଫସଲ:
ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ, କିଶୋରନଗର, ପାଲଲହଡା, ଛେଣ୍ଡିପଦା ଏବଂ ଅନୁଗୋଳ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗାଁରେ ବ୍ୟାପକ ଟମାଟୋ ଚାଷ କରାଯାଏ । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାରେ ପ୍ରାୟ ୪ ହଜାର ଏକର ଜମିରେ ଟମାଟୋ ଫସଲ ହେଉଛି । ପ୍ରତିବର୍ଷ ଜିଲାରେ ୨୫ ରୁ ୩୦ ହଜାର ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହୁଏ । ଜିଲ୍ଲାରେ ଆବଶ୍ୟକ ଟମାଟୋ ବିକ୍ରି ହୁଏ ଏବଂ ବଳକା ବାହାରକୁ ବିକ୍ରି ପାଇଁ ଯାଏ ।
କମୁଛି ଦର, କ୍ଷତି ସହୁଛି ଚାଷୀ:
ଜିଲ୍ଲାରେ ବିଶେଷ କରି ଜାନୁଆରୀ ଓ ଫେବ୍ରୁଆରୀ ମାସରେ ପର୍ଯ୍ୟାପ୍ତ ଟମାଟୋ ଅମଳ ହୋଇଥାଏ । କିନ୍ତୁ ଗତ କିଛିଦିନ ହେଲା ଟମାଟୋ ଦର ଆଶାତୀତ ଭାବେ କମି ଯାଇଛି । ବଜାରରେ ଖୁଚୁରା ବେପାରୀମାନେ କେଜି ପ୍ରତି ୧୦ଟଙ୍କାରୁ କମ ଦାମରେ ବିକ୍ରି କରୁଛନ୍ତି । ଯେଉଁଥିପାଇଁ ଚାଷୀଙ୍କ ଠାରୁ ୨ରୁ ୩ ଟଙ୍କାରେ କିଣି ନେଉଛନ୍ତି । ଏତେ କମ ଦରରେ ଟମାଟୋ ବିକ୍ରି କରି କ୍ଷତି ସହୁଛି ଚାଷୀ ।
ଏନେଇ ଟମାଟୋ ଚାଷୀ ଜଟିଆ ପ୍ରଧାନ କହିଛନ୍ତି, "ବଡ଼ ବଡ଼ ବ୍ୟବସାୟୀମାନେ ଆମ ପାଖରୁ କେଜି ପ୍ରତି ମାତ୍ର ୨ରୁ୩ ଟଙ୍କାରେ ଟମାଟୋ କିଣି ନେଉଛନ୍ତି । ଫଳରେ ସିଧାସଳଖ ତାଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁ ଚାଷୀମାନେ ହାଡ଼ ଭଙ୍ଗା ପରିଶ୍ରମ କରିବା ସହ ବିହନ, ସାର, ଔଷଧ କିଣି ଚାଷ କରିଥିଲେ ସେମାନଙ୍କ ଖର୍ଚ୍ଚ ମଧ୍ୟ ଉଠୁ ନାହିଁ ।"
ସେହିପରି ଅନ୍ୟଜଣେ ଚାଷୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି, "ଟମାଟୋ ତୋଳିବା ପାଇଁ ଜଣେ ଶ୍ରମିକଙ୍କୁ ଦୈନିକ ପ୍ରାୟ ୩ଶହ ଟଙ୍କା ମଜୁରୀ ଦେବାକୁ ପଡୁଛି । କିନ୍ତୁ ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉ ନାହିଁ । ଫଳରେ ସେମାନେ ଆଉ ଟମାଟୋ ତୋଳୁ ନାହୁ । ଏକର ଏକର ଜମିରେ ଟମାଟୋ ଗଛରେ ସଢୁଛି, ମାଟିରେ ପଚୁଛି । କ୍ଷେତରେ ଗାଈଗୋରୁ ଓ ଛେଳି ଛାଡିବାକୁ ନିଷ୍ପତି ନେଇଛୁ ।"
'ବଳକା ଟମାଟୋ ସଂରକ୍ଷଣ କରିବାକୁ ନାହିଁ ବ୍ୟବସ୍ଥା':
ଆଉ ଜଣେ ଚାଷୀ ଦୁର୍ଯ୍ୟୋଧନ ପ୍ରଧାନ କହିଛନ୍ତି, "ଏକା ସମୟରେ ସବୁ ଜାଗାରୁ ଅମଳ ହେଉଥିବାରୁ ଅମଳ ପରିମାଣ ଆବଶ୍ୟକଠାରୁ ଅଧିକ ହୋଇଥାଏ । ତେଣୁ ଅଭାବୀ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହୁଏ । ଜିଲ୍ଲାରେ ବଳକା ଟମାଟୋ ସଂରକ୍ଷଣ କରି ରଖିବାକୁ କୌଣସି ସୁବିଧା ନାହିଁ । ଟମାଟୋରୁ ସସ ଓ ଅନ୍ୟାନ୍ୟ ଖାଇବା ଉପଯୋଗୀ ଜିନିଷ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ତେଣୁ ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲ ଟମାଟୋ ନଷ୍ଟ ହେଉଛି ।"
'ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଦିଆଯାଇଛି ପ୍ରସ୍ତାବ':
ଏନେଇ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଆମ୍ବର ଲୋଗନ କହିଛନ୍ତି," ଜିଲ୍ଲାର ସର୍ବାଧିକ ଟମାଟୋ ଉତ୍ପାଦନ ହେଉଥିବା ୬୩ଟି ପଞ୍ଚାୟତରେ ୧୦ମେଟ୍ରିକ ଟନ ସଂରକ୍ଷଣ କ୍ଷମତା ବିଶିଷ୍ଟ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାଛଡା ଅନୁଗୋଳରେ ହେଉଥିବା ସବୁଠାରୁ ବଡ଼ ସାପ୍ତାହିକ ହାଟରେ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇଟି ସଂରକ୍ଷଣ କେନ୍ଦ୍ର ନିର୍ମାଣ କରାଯିବାର ଯୋଜନା ରହିଛି ।"
ଏହାମଧ୍ୟ ପଢନ୍ତୁ... ଗ୍ରାଫଟିିଂ ପଦ୍ଧତିରେ ଟମାଟୋ ଚାଷ: ବର୍ଷ ସାରା ଅମଳ, ଲାଭରେ ଚାଷୀ ତରଭୁଜ ଚାଷ ଉପରୁ ମୁହଁ ଲେଉଟାଇଲେଣି ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ - Watermelon cultivation Deogarh |
ଜିଲ୍ଲାରେ ଟମାଟୋ ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଛି । ତେଣୁ ଚାଷୀମାନଙ୍କ ସୁବିଧା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲେ ଆହୁରି ଅଧିକ ଟମାଟୋ ଅମଳ ହୋଇପାରିବ ଓ ସଂରକ୍ଷଣ ବ୍ୟବସ୍ଥା କରାଗଲେ ଚାଷୀମାନଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ ।
ଇଟିଭି ଭାରତ, ଅନୁଗୋଳ