ଭବାନୀପାଟଣା: ଜଳ, ଜମି ଓ ଜଙ୍ଗଲକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ । ବିଭିନ୍ନ ଖଣି ଖନନକୁ ବିରୋଧ କରି ଗର୍ଜିଛନ୍ତି ବିଭିନ୍ନ ସଙ୍ଗଠନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଗୁରୁବାର ଦିନ ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ସମନ୍ୱୟ ମଞ୍ଚ ପକ୍ଷରୁ 'ବିସ୍ଥାପନ ବିରୋଧୀ ଦିବସ ସମାବେଶ' ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଆଦିବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଖଣି ଖାଦାନ ଓ ବିସ୍ଥାପନ ବିରୋଧରେ ବିଶାଳ ବିକ୍ଷୋଭ
ଭବାନୀପାଟଣାରେ ଅନୁଷ୍ଠିତ ଏହି ସମାବେଶରେ ୧୦ରୁ ଉର୍ଦ୍ଧ୍ବ ସଙ୍ଗଠନର କର୍ମକର୍ତ୍ତା ଓ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ । ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲ ନିକଟରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଜିଳ୍ଲାର ଖଣ୍ଡୁଆଳ ମାଳି, କୁଟ୍ରୁ ମାଳି, ସିଜି ମାଳି ଭଳି ଅନେକ ଖଣି ଖାଦାନ ଉପରେ ଏବେ ବିଭିନ୍ନ ରାଷ୍ଟ୍ରୀୟ କମ୍ପାନୀମାନେ ଖଣି ଖନନ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସରକାର ମଧ୍ଯ ଶିଳ୍ପପତି ମାନଙ୍କୁ ସ୍ବାଗତ କରୁଛନ୍ତି । ଯେଉଁଥିପାଇଁ ହଜାର ହଜାର ଆଦିବାସୀ ନିଜ ଭିଟାମାଟି ହରାଇ ବିସ୍ଥାପିତ ହେଉଛନ୍ତି ।
ଜଳ, ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ଆନ୍ଦୋଳନ
![Tribal protest against mining in Kalahandi](https://etvbharatimages.akamaized.net/etvbharat/prod-images/03-01-2025/od-kld-02-maining-againts-avb-7203436_02012025170202_0201f_1735817522_703.jpg)
ନିଜ ଭିଟାମାଟି ତଥା ଜଳ, ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଆଦିବାସୀ । ଏନେଇ ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର କହିଛନ୍ତି, "କଳାହାଣ୍ଡି ଜିଲ୍ଲାର ଖଣି ଖନନ ପାଇଁ ଦିନକୁ ଦିନ ଯେଉଁ ପ୍ରସ୍ତାବ ଆସୁଛି, ସରକାର ଓଡ଼ିଶାର ଯେଉଁ ଖଣି ଖାଦାନକୁ ବିକ୍ରି କରିବାକୁ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତାକୁ ବିରୋଧ କରି ଆଜି ହଜାର ହଜାର ଆଦିବାସୀ ମାଆ ମାଣିକେଶ୍ୱରୀଙ୍କ ମାଟିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶାସକ ଦଳ ପୋଲିସ ଓ ପ୍ରଶାସନକୁ ଲଗାଇ ଆଦିବାସୀଙ୍କୁ ଡରାଇ ବିଦେଶୀ କମ୍ପାନୀକୁ ଖଣି ପ୍ରଦାନ କରୁଛନ୍ତି । ଫଳରେ ଗରିବ ଗରିବ ହୋଇ ରହି ଯାଉଛି ଓ କମ୍ପାନୀ ପୁଞ୍ଜିପତି ରୋଜଗାର କରିବାରେ ଲାଗିଛନ୍ତି ।"
'ଜୀବନ ଯାଉ ପଛେ ଆମେ ଏକ ଇଞ୍ଚ ଜମି ଛାଡିବୁ ନାହିଁ'
![Tribal protest against mining in Kalahandi](https://etvbharatimages.akamaized.net/etvbharat/prod-images/03-01-2025/od-kld-02-maining-againts-avb-7203436_02012025170202_0201f_1735817522_436.jpg)
ସେପଟେ ଏନେଇ ବାଲିଆପାଳ ଭିଟାମାଟି ଆନ୍ଦୋଳନର ଉପଦେଷ୍ଟା ଜୟନ୍ତ ଦାସ କହିଛନ୍ତି," ଖଣିଜ ଉତ୍ତୋଳନ କରିବା ନାଁରେ କଳାହାଣ୍ଡି ଜିଲ୍ଲାର ଖଣ୍ଡୁଆଲ ମାଳି ଓ ବିଭିନ୍ନ ମାଳି ପର୍ବତକୁ ଚିହ୍ନଟ କରାଯାଇଛି । ଏହାଦ୍ୱାରା ଆଦିବାସୀଙ୍କୁ ଭିଟାମାଟିରୁ ଉଚ୍ଛେଦ କରାଯିବ । ଜୀବନ ଯାଉ ପଛେ ଆମେ ଏକ ଇଞ୍ଚ ଜମି ମଧ୍ଯ ଛାଡିବୁ ନାହିଁ । କମ୍ପାନୀ ମାନଙ୍କର ପଇସାରେ ପ୍ରତିଷ୍ଠିତ ସରକାର କମ୍ପାନୀମାନଙ୍କୁ ଲାଭ ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ସେହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ।"
![Tribal protest against mining in Kalahandi](https://etvbharatimages.akamaized.net/etvbharat/prod-images/03-01-2025/od-kld-02-maining-againts-avb-7203436_02012025170202_0201f_1735817522_128.jpg)
ଇଟିଭି ଭାରତ, କଳାହାଣ୍ଡି