ବାଲେଶ୍ବର:ଅନଲାଇନ କାରବାର ବଢିବା ସହ ମାତିଛନ୍ତି ସାଇବର ଠକ । ଲୋକଙ୍କୁ କିପରି ନିଜ ଜାଲରେ ଫସାଇବା ଏଥିପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ବର୍ତ୍ତମାନ ବିଦ୍ୟୁତ ସେବା ଠପ୍ ହୋଇଯିବା କହି ଆକାଉଣ୍ଟରୁ ଟଙ୍କା ଉଡାଇ ନେଉଛନ୍ତି । ଏପରି କିଛି ଅଭିଯୋଗ ଏବେ ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯିବ କହି ଯିଏ OTP ମାଗୁଛନ୍ତି କଣ କରିବେ ? ସାଇବର ଠକ କିପରି ଫସାଇ ପାରନ୍ତି ଜାଲରେ ? ଆଉ ଏଥିରୁ କେମିତି ବର୍ତ୍ତିବେ । କଣ କରିବେ କଣ ନାହିଁ । ଜାଣନ୍ତୁ ।
ବିଦ୍ୟୁତ୍ ବନ୍ଦ ନାଁରେ ମାତିଛନ୍ତି ସାଇବର ଠକ:
ଦିନକୁ ଦିନ ଯେତେ ମାତ୍ରାରେ ଅନଲାଇନ ସେବା ବୃଦ୍ଧି ପାଉଛି ତାଠୁ ବହୁ ଗୁଣରେ ସାଇବର କ୍ରାଇମ ମଧ୍ୟ ଘଟୁଥିବା ନଜରକୁ ଆସୁଛି । କେତେବେଳେ ବ୍ୟାଙ୍କ କର୍ମଚାରୀ ଭାବେ ଲୋକମାନଙ୍କୁ ସାଇବର ଠକ ଠକିଲେଣି ତ ପୁଣି କେତେବେଳେ ମୋବାଇଲ ନମ୍ବର ବନ୍ଦ ହୋଇଯିବା ଭଳି କଥା କହି ଓଟିପି ନେଇ ସର୍ବସ୍ୱ ଲୁଟି ନେଉଛନ୍ତି । ଏବେ ନୂଆ ଉପାୟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭୟ ଦେଖାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ ।
ସାଇବର ଠକଙ୍କ ନୂଆ ଚାଲ:
ଏମିତି ଠକେଇର ଅଧିକାଂଶ ଲୋକ ଶିକାର ହେବାପରେ ଅନେକ ଲୋକ ଏନେଇ ସଚେତନ ହେଲେଣି । ଏଥିପାଇଁ ସାଇବର ଠକମାନେ ଏବେ ଠକେଇର ଏକ ନୂଆ ଉପାୟ ଆପଣେଇଲେଣି । ଘରେ ଲାଗିଥିବା ବିଦ୍ୟୁତ ମିଟର ଖରାପ ହେବା ଏବଂ ବିଦ୍ୟୁତ ମିଟର ସସପେଣ୍ଡ ହେବାଭଳି ମେସେଜ ଆସିବା ସହ ବିଦ୍ୟୁତ ସଂଯୋଗ କାଟି ଦିଆଯିବା ଭଳି ବିଦ୍ୟୁତ ଉପଭୋକ୍ତାଙ୍କ ପାଖକୁ ମେସେଜ ଆସୁଛି । ଯେଉଁଥିରେ ଏକ ନମ୍ବରରେ କଲ କରି ବିଲ ପୈଠ କରିବା ଏବଂ ଲିଙ୍କରେ କ୍ଲିକ କରିବା ପାଇଁ ମଧ୍ୟ କୁହାଯାଉଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭୟରେ ଯଦି କେହି ଉପଭୋକ୍ତା କଲ କିମ୍ବା ଲିଙ୍କ କ୍ଲିକ କରନ୍ତି ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ଠକେଇ ହେବାର ସମ୍ଭାବନା ରହିଛି । ଯାହାକି ବିଦ୍ୟୁତ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
କେମିତି ଠକୁଛନ୍ତି ସାଇବର ଠକ ?
- ଆପଣଙ୍କ ଘର ମିଟର ଖରାପ ହୋଇଯାଇଛି
- ବିଦ୍ୟୁତ ମିଟର ସସପେଣ୍ଡ ହେବା ମେସେଜ
- ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ
- ଏକ ନମ୍ବର ଆସିବ, ଟଙ୍କା ପୈଠ ପାଇଁ କେହି ଯଦି କହୁଥିବ
- ଲିଙ୍କରେ କ୍ଲିକ ପାଇଁ କିଏ ଯଦି କହୁଥିବ
ଏମିତି ମେସେଜ ଆସିଲେ କଣ କରିବେ ?
- ପ୍ରଥମତଃ ଏସବୁ ନିବୃତ୍ତ ରୁହନ୍ତୁ
- ତୁରନ୍ତ ଆପଣ ନିକଟସ୍ଥ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରନ୍ତୁ
- ଗ୍ରାହକ ସେବା କେନ୍ଦ୍ରରେ ଅନୁସନ୍ଧାନ କରନ୍ତୁ
- ଟୋଲ ଫ୍ରି ନମ୍ବର 1912 କିମ୍ବା 18003456718ରେ ଯୋଗାଯୋଗ କରନ୍ତୁ
- ମିଛ ଓ ଠକାମି ମେସେଜ କିମ୍ବା ଲିଙ୍କରୁ ନିଜକୁ ଦୂରେଇ ରଖିବେ
- ଅଜଣା ନମ୍ବର ମେସେଜ ଆସିଲେ ବିବ୍ରତ ହୁଅନ୍ତୁ ନାହିଁ
ସଚେତନ କଲେ ବିଦ୍ୟୁତ ବିଭାଗ ଅଧିକାରୀ:
ବାଲେଶ୍ୱର TPNODLର HR ଚିତ୍ତରଞ୍ଜନ ପ୍ରଧାନ ଏମିତି ଠକେଇ ଏବଂ ଏଥିରୁ କେମିତି ବର୍ତ୍ତିହେବ ସେନେଇ ବିସ୍ତୃତ ସୂଚନା ଦେଇ କହିଛନ୍ତି," କିଛିଦିନ ହେଲା ସାଇବର କ୍ରାଇମ ବହୁତ ଗୁଡ଼ିଏ ହେଉଛି । ସେଥିରୁ ବିଦ୍ୟୁତ ବିଭାଗ ମଧ୍ୟ ବାଦ ପଡ଼ିନାହିଁ । ଅନେକ ସମୟରେ ଆମର ଉପଭୋକ୍ତାଙ୍କ ଠାରୁ ଆମେ ବହୁ ଅଭିଯୋଗ ଗ୍ରହଣ କରୁଛୁ ଯେ, ଆପଣଙ୍କର ମିଟର ବିଲ ଏତିକି ଆସିଛି ତୁରନ୍ତ ପେମେଣ୍ଟ କରନ୍ତୁ ନହେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବ, ନ ହେଲେ ଆପଣ ଏହି ଲିଙ୍କରେ କ୍ଲିକ କରନ୍ତୁ। ମୁଁ ଏହି ପରାମର୍ଶ ଦେବି ଯେ ଆପଣ ସେସବୁରୁ ନିବୃତ୍ତ ରହିବେ। ଯଦି କୌଣସି ପ୍ରକାର ସନ୍ଦେହ ରହୁଛି ଏସବୁକୁ ନେଇକି ତେବେ ତୁରନ୍ତ ଆପଣ ନିକଟସ୍ଥ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରନ୍ତୁ । ପ୍ରତି ଡିଭିଜନରେ ଆମର ଯେଉଁ ଗ୍ରାହକ ସେବା କେନ୍ଦ୍ର ରହିଛି ସେଠି ଆପଣ ଏ ବିଷୟରେ ଅନୁସନ୍ଧାନ କରନ୍ତୁ । ଏହା ବ୍ୟତୀତ ସବୁଠୁ ଭଲ ଉପାୟ ହେଲା ଆମର ଯେଉଁ ଟୋଲ ଫ୍ରି ନମ୍ବର 1912 କିମ୍ବା 18003456718ରେ ଯୋଗାଯୋଗ କରି ଆପଣ ପୂରା ତଥ୍ୟ ପାଇ ପାରିବେ ।