କଟକ:ଆସନ୍ତା ନଭେମ୍ବର 15 ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର ଷ୍ଟଲ ସଂଖ୍ୟା । ବଡ଼ କଥା ହେଉଛି, ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱର ଦେଇଛି କଟକ ଜିଲ୍ଲା ପ୍ରଶାସନ । ଏହି କ୍ରମରେ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । ଏହି ଗ୍ରୀନ କରିଡରକୁ ଭିଡ଼ ସମୟ ଜରୁରୀ କାଳୀନ ଯାତାୟତ ପାଇଁ ବ୍ୟବହାର କରାଯିବ । ଏହା ସହିତ ପାର୍କିଂ ଷ୍ଟଲ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଲକ୍ଷ ରଖିଛି ପ୍ରଶାସନ ।
ବାଲିଯାତ୍ରାରେ ବଢିବ ଷ୍ଟଲ ସଂଖ୍ୟା:
ଚଳିତ ବର୍ଷ ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବୃଦ୍ଧି କରାଯିବ । ଓରମାସ ଷ୍ଟଲ ସଂଖ୍ୟା 500କୁ ବୃଦ୍ଧି ପାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷ କରି ଓରମାସ ଓ ପଲିଶ୍ରୀ ମେଳା ଭଳି ଷ୍ଟଲ ଗୁଡିକକୁ ଗୋଟିଏ ସ୍ଥାନରେ ସ୍ଥାନୀତ କରାଯିବ । ଏହା ବ୍ୟତୀତ ବାଲିଯାତ୍ରାରେ ବିକ୍ରି ହେଉ ଥିବା ଖାଦ୍ୟ ସାମଗ୍ରୀର ଷ୍ଟଲ ଗୁଡିକରେ ପରିଷ୍କାର ପରିଚ୍ଛନତା ସହିତ ହାଇଜିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସେହିପରି ବାଲିଯାତ୍ରା ସମୟରେ କୌଣସି ଦିନ ଭାରତୀୟ ନେଭି ପ୍ରଦର୍ଶନ କରିବ ସ୍ୱତନ୍ତ୍ର କଲା କୌଶଳ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଥିବା ଏହି ବୈଠକରେ ଏହି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।