ଓଡିଶା

odisha

ETV Bharat / state

ଅର୍ପଣ ରଥରେ ଚାଉଳ ଓ ଗୁଆ ସଂଗ୍ରହ ବିବାଦ, ମହାପ୍ରସାଦ ପ୍ରସ୍ତୁତି ନିଷ୍ପତ୍ତିକୁ ବିରୋଧ - ଚାଉଳ ଓ ଗୁଆ ସଂଗ୍ରହ ବିବାଦ

Arpan Rath Controversy: ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତି ନିଷ୍ପତ୍ତିକୁ ବିରୋଧ କରାଯାଇଛି । ତେବେ ଏହି ଚାଉଳ କେଉଁ କାର୍ଯ୍ୟରେ ଲାଗିବ ଜାଣନ୍ତୁ

ଅର୍ପଣ ରଥ ବିବାଦ
ଅର୍ପଣ ରଥ ବିବାଦ

By ETV Bharat Odisha Team

Published : Jan 20, 2024, 8:12 PM IST

ଅର୍ପଣ ରଥ ବିବାଦ

ପୁରୀ: ଅର୍ପଣ ରଥରେ ଚାଉଳ ଓ ଗୁଆ ସଂଗ୍ରହ ବିବାଦ । ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତି ନିଷ୍ପତ୍ତିକୁ ବିରୋଧ । ସରକାର ମହାପ୍ରଭୁଙ୍କୁ ନେଇ ରାଜନୀତି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଅର୍ପଣ ରଥ ମାଧ୍ୟମରେ ଅରୁଆ ଚାଉଳ, ଗୁଆ ସଂଗ୍ରହ କରାଯାଇଥିଲା । ପ୍ରତି ପଞ୍ଚାୟତରେ ବୁଲିଥିଲା ଅର୍ପଣ ରଥ । ସଂଗୃହୀତ ଚାଉଳ ଓ ଗୁଆ ଲୋକାର୍ପଣ ଉତ୍ସବରେ ଲାଗି ନହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ଭୋଗ ଲାଗି ହେବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଗତକାଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ସୁଆର ମହାସୁଆର ନିଯୋଗର ନିଷ୍ପତ୍ତିକୁ ସେବାୟତ ମହଲରେ ବିରୋଧ ଆରମ୍ଭ ହୋଇଛି । "ଅର୍ପଣ ରଥରେ ସଂଗୃହିତ ଚାଉଳରୁ ଅନ୍ନ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇପାରିବନାହିଁ । ଏହା ବାର ମିଶା ଚାଉଳ ହୋଇଥିବାରୁ ଏହା ସମ୍ଭବ ନୁହେଁ । ଲୋକଙ୍କୁ କେବଳ ଭୁଆଁ ବୁଲାଇବା ପାଇଁ ଏହା କୁହାଯାଉଛି" ବୋଲି ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗର ସଭାପତି ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।

ସେ କହିଛନ୍ତି, "ଅର୍ପଣ ରଥ ବୁଲିବା ଠିକ୍ ନୁହେଁ । ଏହି ନିଷ୍ପତ୍ତି ଭୁଲ ନିଷ୍ପତ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ କାହିଁକି ବିରୋଧ କଲାନି ? ସଂଗୃହୀତ ଚାଉଳକୁ ଅନ୍ୟ ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଇ ପୁରୀର ବଡ଼ ଦାଣ୍ଡ, ସମୁଦ୍ର କୂଳ, ରେଲୱେ ଷ୍ଟେସନ, ସର୍ବସାଧାରଣ ସ୍ଥାନରେ ଥିବା ପର୍ଯ୍ୟଟକ, ଭକ୍ତଙ୍କ ସହ ଗରିବ ଲୋକଙ୍କୁ ବିତରଣ କରାଯାଉ ।" ଏନେଇ ଖୁଣ୍ଟିଆ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ନିଯୋଗ ପକ୍ଷରୁ କୁହାଯାଇଛି । ସେହିପରି ଅର୍ପଣ ରଥରେ ଆଦାୟ ହୋଇଥିବା ଟଙ୍କାର ହିସାବ କିଏ ରଖିଛି ? ଏହା ମହାପ୍ରଭୁଙ୍କ ହୁଣ୍ଡିକୁ ଆସି ପାରିବ କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଖୁଣ୍ଟିଆ ନିଯୋଗ ।

ସେପଟେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, "ଅର୍ପଣ ରଥ ବୁଲିବା ସମ୍ପୂର୍ଣ୍ଣ ଭୁଲ । ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମତିରେ ଏହା କିଭଳି ବୁଲିଲା ?" ବୋଲି ସେ ପ୍ରଶ୍ନ କରିଛନ୍ତି । ମହାପ୍ରଭୁଙ୍କ ନିକଟରେ ବାର ମିଶା ଚାଉଳ କେବେବି ଭୋଗ ହୋଇ ପାରିବନାହିଁ । ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କୁହାଯାଇଛି । ଶ୍ରୀମନ୍ଦିରକୁ ଦାନ କରିବା ପାଇଁ ହୁଣ୍ଡି, ଡୋନେସନ୍ ସେଲ, ଶ୍ରୀମନ୍ଦିର କାର୍ଯ୍ୟାଳୟ ରହିଛି । ଯେଉଁ ଭକ୍ତ ଚାହିଁବେ ସେମାନେ ଆସି ହୁଣ୍ଡି, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାନ କରିପାରିବେ । ମହାପ୍ରଭୁଙ୍କ ପାଇଁ ଭିକ ମଗା ଚାଉଳ କେବେବି ଭୋଗ ହୋଇପାରିବ ନାହିଁ ।"

ଏହା ମଧ୍ୟ ପଢନ୍ତୁ...'ମହାପ୍ରଭୁଙ୍କ ନାଁ ନେଇ ଲୋକଙ୍କ ଶ୍ରଦ୍ଧା ସହ ଖେଳିଛନ୍ତି ସରକାର', ଜବାବ ରଖିଲା ବିଜେଡି

ସେପଟେ ଅର୍ପଣ ରଥରୁ ସଂଗୃହିତ ଚାଉଳ କିଭଳି କାର୍ଯ୍ୟରେ ଲାଗିପାରିବ ସେନେଇ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଆଲୋଚନା କରିଛନ୍ତି । ସଂଗୃହୀତ ଚାଉଳକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିବା ପାଇଁ ଆଲୋଚନା ହେଉଥିବା ଜଣାପଡୁଛି । ଏହାକୁ ସୁରକ୍ଷିତ ଭାବେ ରଖାଯିବ । ରଥଯାତ୍ରା ସମୟରେ ଏହି ଚାଉଳରୁ ଖାଦ୍ୟ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ପ୍ରଦାନ କରାଯିବା ନେଇ ଚିନ୍ତା କରାଯାଉଥିବା ଶୁଣିବାକୁ ମିଳିଛି । ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details